Unknown

 

 

 

 

 

 

 

 

 

ଭକ୍ତି ବିଳାସ

ଗୋକୁଳାନନ୍ଦ ପଟ୍ଟନାୟକ

 

ଗଣେଶ ବନ୍ଦନା

(‘ଗ’ ଅନୁପ୍ରାସ)

 

ଗଣେଶ ଘେନ ବିନତି ବେଗ

ଗରିବଜଣେ ଜଣାଉଛି ଆଗ (ଘୋଷା)

 

ଗଙ୍ଗାଧରସୁତ ପାଶାଙ୍କୁଶ ହସ୍ତ

କପାଳେ ସିନ୍ଦୂର ବଦନ ନାଗ ।୧।

 

ଗଲେ କାର୍ତ୍ତିକେୟ ମହୀ ବୁଲିବାକୁ

ଲଡ଼ୁରୁ ନ ଦେଲ ତାହାଙ୍କୁ ଭାଗ ।୨।

 

ଗଉରୀ-କୁମର ପୃଥଳ ଉଦର

ସକଳ ଶାସ୍ତ୍ରରେ ତୁମ୍ଭେ ପାରଗ ।୩।

 

ଗରବ କରନ୍ତେ ସବିତା-ତନୟ

ବାହନ କରିଣ ରଖିଛ ଆଗ ।୪।

 

ଗଙ୍ଗାଜଳେ ଚୂତପତ୍ରେ ପୂଜା ପାଅ

ହେଲେ ବିଭାବ୍ରତ ପ୍ରତିଷ୍ଠା ଯାଗ ।୫।

 

ଗଣତି ହେଉଛ ସର୍ବ ପ୍ରଥମରେ

ବିନାଶ ଗୋକୁଳାନନ୍ଦର ରୋଗ ।୬।

 

୧. ଗଙ୍ଗାଧର ସୁତ – ଗଙ୍ଗାଙ୍କୁ ମସ୍ତକରେ ଧାରଣ କରିଛନ୍ତି ଯେଉଁ ଶିବ, ତାଙ୍କର (ତୁମେ) ପୁତ୍ର । ୨. ପାଶାଙ୍କୁଶହସ୍ତ – ତୁମେ ତୁମର ହାତରେ ପାଶ ଏବଂ ଅଙ୍କୁଶ ନାମକ ଅସ୍ତ୍ର ଧାରଣ କରିଅଛ । ୩. ସବିତା ତନୟ (ସବିତା-ସୂର୍ଯ୍ୟ ତାଙ୍କ ତନୟ – ପୁତ୍ର)-ଯମ ୪. ଗଣତି – ଗଣାହେବ । ୩୩ କୋଟି ଦେବତାଙ୍କ ମଧ୍ୟରେ ପାଞ୍ଚଦେବତା ଶ୍ରେଷ୍ଠ । ବୟସରେ କମ୍ ହେଲେ ମଧ୍ୟ ହେ ଗଣେଶ ! ତୁମ୍ଭେ ହେଉଛ ପ୍ରଥମରେ ପୂଜ୍ୟ (ଅଗ୍ରପୂଜ୍ୟୋ ଗଣାଧିପଃ)

 

ପଞ୍ଚଦେବ ବନ୍ଦନା - ୧

 

ଗଣେଶ ଗଣପତି ଗୁଣୀପ୍ରତି ପ୍ରୀତି ଗଣତି

ନିଶ୍ଚଳେ ବସି ସୁମତି ପାଞ୍ଚ ଏ ଦେବତା ସ୍ତୁତି ।୧।

 

ନାରାୟଣ ସାରସାସ୍ୟ ଶ୍ରୀଶ ଶୌରି ସୁରତେ ସଂସାରେ କୀର୍ତ୍ତି

ସୁରଶଶୀର ସରସ ସୁଶ୍ରୀସ୍ଵର କଂସାରାତି ।୨।

 

ଶିବ ପଶୁପତି ସାପ ସତୀ ଶୀର୍ଷ ପାଶେ ପଶୁପତି

ଶତଶତ ତପୀ ତତ୍ତ୍ଵ ପ୍ରାପ୍ତେ ତୃପ୍ତି ଭଗବତୀ ।୩।

 

ଭଗବତୀ ଭଗବତୀ ଭାଗ୍ୟବତୀ ଭାବେ ଭୋଗୁ ଭବଭୂତି

ବିଭବ ବୃତ୍ତି ବିଭାବେ ଭଗବତୀ ତବ ଗୀତି ।୪।

 

ସୂର୍ଯ୍ୟ ଦୀନ ପ୍ରତି ଦାନୀଦାନ ଦୈନନ୍ଦିନ ଦିନପତି

ବନ୍ଦେ ପଞ୍ଚଦେବ ପଦ ଗୋକୁଳାନନ୍ଦ ବିନତି ।୫।

 

୧. ସାରସାସ୍ୟ – (ସାରସ + ଆସ୍ୟ) = ପଦ୍ମମୁଖ, ୨. ଶ୍ରୀଶ = (ଶ୍ରୀ+ଈଶ) = ନାରାୟଣ, ୩.ସୁରଶଶୀ – ଅନନ୍ତ ସୂଚନା : ନାରାୟଣ - ଏ ଶଦ୍ଦରେ ୪ଟି ଅକ୍ଷର ଅଛି । ତେଣୁ ପଦଟି କେବଳ ୪ଟି ଅକ୍ଷରରେ ରଚିତ ଯଥା – ସ,ର,ଲ୍ଗ,ତ ଶିବ -ଶେଷ ଶଦ୍ଦଟିକୁ ଛାଡ଼ିଦେଲେ, ପଦଟି କେବଳ ୪ଟି ଅକ୍ଷରେ ରଚିତ – ପ-ସ-ପ-ତ । ଭଗବତୀ - ପଦଟି କେବଳ ୪ଟି ଅକ୍ଷରରେ ରଚିତ, ଯଥା : ଭ-ଗ-ବ-ତ ।

 

ପଞ୍ଚଦେବ ବନ୍ଦନା - ୨

 

ଗଣେଶ

ଗଣାଗ୍ର-ଗଣ୍ୟ ଗୁଣ୍ୟଗ୍ର ଗଣ ଗୁଣ ଗଣେ ଗଣେ

ଗୁଣୀ ଗଣେ ଗଣା ଗୌଣୀ ଗୁଣୁଗୁଣୁ ଗୁଣୁ ଗୌଣେ ।୧।

 

ନାରାୟଣ

ନାରାୟଣ ନାରା ନାର ନରାନନେ ନାରାୟଣ

ରଣେ ରାଣ ନିରୟାରି ନିର୍ଣ୍ଣୟରେ ରୁଣାରଣ ।୨।

 

ରୁଦ୍ର

ଦରିଦ୍ର ଦ୍ଵାରରେ ରୋଦେ ଦରୋଦର ରୁଦ୍ରରୁଦ୍ର

ଦର୍ଦୁରାରି ଦ୍ଵାର ଦାରା ଦେରିରେ ଦ୍ଵାର ଦରଦ ।୩।

 

ଅମ୍ଵିକା

ଅମ୍ଵିକା ଅଙ୍କୁ ଅମ୍ବକ ଅମ୍ବା କବିଙ୍କି ବିବେକ

ଅବିବେକିଙ୍କ କୁବାକ୍ୟ ବିବାକ କାବାକୁ ବାକ୍ୟ ।୪।

 

ଭାସ୍କର

କରକୁ କୋରକ କରି କରେ କେ ଭାସ୍କରଙ୍କର

ଭାଷେ ଭାସେ ସରସୀରେ ସାରସାସ୍ୟ ସାରକର ।୫।

 

ବର୍ଣ୍ଣ ଅନୁସାରେ ପାଞ୍ଚ ଵର୍ଣ୍ଣନା ଅତି ସୁସଞ୍ଚ

ଗୋକୁଳାନନ୍ଦ କଳ୍ପନା କୋବିଦ ହୃଦରେ ପାଞ୍ଚ ।୬।

 

୧. ନାରା – ଜଳସ୍ଵରୂପ, ୨. ନାର – ଦାନ ସ୍ଵରୂପ, ୩. ଦରଉଦର - ଶଙ୍ଖପରି ଯାହାର ଉଦର,

୪. ଦର୍ଦୁରାରି – ବେଙ୍ଗର ଶତ୍ରୁ ସର୍ପ, ୫. ଦାରା – ପାର୍ବତୀ, ୬ ଅଙ୍କୁ – ମୃଗ, ୭. ଅମ୍ବକ – ନେତ୍ର

।ମୃଗ ଦୁଷ୍ଟି ।(ତିନି ଅମ୍ବକ ବା ନେତ୍ର ଥିବାରୁ ଶିବଙ୍କର ନାମ ତ୍ର୍ୟମ୍ବକ)

ସୂଚନା :

ଏହି ବନ୍ଦନାରେ ବର୍ଣ୍ଣବିନ୍ୟାସର ଚମତ୍କାରିତା ଲକ୍ଷ୍ୟ କରିବାର କଥା । ଯଥା –

ଦେବତାଙ୍କ ନାମ ଗୁଡ଼ିକରେ ଥିବା ବର୍ଣ୍ଣ ବା ଅକ୍ଷର ସାହାଯ୍ୟରେ ବନ୍ଦନାର

ପଦଗୁଡ଼ିକ ରଚିତ ।

 

୧) ଗଣେଶଙ୍କ ବନ୍ଦନାରେ ମୁଖତଃ ଦୁଇଟି ବର୍ଣ୍ଣ ଅଛି = ଗ-ଣ ୨) ନାରାୟଣଙ୍କ ବନ୍ଦନାରେ ମୁଖତଃ ୪ଟି ବର୍ଣ୍ଣ ଅଛି = ନ-ର-ୟ-ଣ ୩) ରୁଦ୍ରଙ୍କ ବନ୍ଦନାରେ କେବଳ ଦୁଇଟି ବର୍ଣ୍ଣ ଅଛି = ଦ-ର ୪) ଅମ୍ଵିକାଙ୍କ ବନ୍ଦନାରେ ଟି ବର୍ଣ୍ଣ ଅଛି = ଅ-ମ-ବ-କ ୫) ଭାସ୍କରଙ୍କ ବନ୍ଦନାରେ ମଧ୍ୟ ୪ଟି ବର୍ଣ୍ଣ ଅଛି =ଭ-ସ-କ-ର ।

 

ପଞ୍ଚଦେବ ବନ୍ଦନା - ୩

 

ବନ୍ଦନ ପଞ୍ଚ ଦେବଙ୍କ ପଦ

ଅକାରାଦ୍ୟେ ଶେଷ ଏକାର ଭେଦ । (ପଦ)

 

ଗଣେଶ ଗଜ-ବଦନ ଶଙ୍କର-ନନ୍ଦନ

ସର୍ବ ଅଗ୍ର ଗଣ୍ୟ ଜଗତ୍ ବନ୍ଦନ ।୧।

 

ନାରାୟଣ ଯାହା ରାମା ରାଧା ତା କାହା ସାହା

ଖାରା ଖାସା ଭାଷା ଆକାଙ୍‌କ୍ଷା ରାହା ।୨।

 

ଶିବ ଗିରି ପ୍ରୀତି ଗିଳି ଶ୍ରୀ ନିତି ତିନ୍ତି

କିରୀଟୀକି ବିଧି ସିଦ୍ଧିକି ଭୀତି ।୩।

 

ଦୁର୍ଗା

ଶୁଭୁ ମୂହୁର୍ମୁହୁ ଭୁରୁଡ଼ୁ ଗୁରୁ

ମୁଁ ବୁଭୁକ୍ଷୁ ମୁରୁଛୁ ସୁରୁଖୁରୁ ।୪।

 

ସୂର୍ଯ୍ୟ

ସେବେ ଶେଷେ ମେଷେ ତେଜେ ଯେ ଫେରେ

ଦେଖେ ଯେତେବେଳେ ମେଘେରେ ଘେରେ ।୫।

 

ବନା ନିୟମରେ ସ୍ତବକୁ ବନ୍ଦ

କହଇ କରଣ ଗୋକୁଳାନନ୍ଦ ।୬।

 

ଶ୍ରୀ-ବିଷ – ବୃଥା ଯୁକ୍ତି କରି ଜିଣିବାକୁ ସମର୍ଥ ନ ହେବା ।

ଭୁରୁଡ଼ୁ– ହଟିଯିବା,ନିଜେ ଯୁକ୍ତି ନ କରି ପରେ ଏଣୁ ତେଣୁ ବାଜେ କଥା କହି,

ଅନ୍ୟକୁ ହୁରୁଡ଼େଇବାକୁ ଚେଷ୍ଟା କରିବା ।

 

ସୂଚନା : ପଞ୍ଚଦେବତାଙ୍କର ଏ ତୃତୀୟ ବନ୍ଦନା ମଧ୍ୟ ଆଳଂକାରିକ ଚାତୁର୍ଯ୍ୟରେ ରସାଣିତ,

ଯଥା

୧) ଗଣେଶଙ୍କ ବନ୍ଦନାରେ ବ୍ୟଞ୍ଜନ ବର୍ଣ୍ଣରେ କେବଳ ‘ଅ’ ରହିଛି । ୨) ନାରାୟଣଙ୍କ ବନ୍ଦନାରେ ବ୍ୟଞ୍ଜନ ବର୍ଣ୍ଣରେ କେବଳ ‘ଆ’ ରହିଛି । ୩) ଶିବଙ୍କ ବନ୍ଦନାରେ ବ୍ୟଞ୍ଜନ ବର୍ଣ୍ଣରେ କେବଳ ‘ଇ’ ରହିଛି । ୪)ଦୁର୍ଗାଙ୍କ ବନ୍ଦନାରେ ବ୍ୟଞ୍ଜନ ବର୍ଣ୍ଣରେ କେବଳ ‘ଉ’ ରହିଛି । ୫)ସୂର୍ଯ୍ୟଙ୍କ ବନ୍ଦନାରେ ବ୍ୟଞ୍ଜନ ବର୍ଣ୍ଣରେ କେବଳ ‘ଏ’ ରହିଛି ।

 

ପଞ୍ଚଦେବ ବନ୍ଦନା - ୪

 

ଶ୍ରୁତି ପଥେ ଶୁଣ କୃତୀ ପଞ୍ଚଦେବଙ୍କ ସ୍ତୁତି

ଏକଠାରୁ କ୍ରମାନ୍ଵୟେ ପାଞ୍ଚରେ ହେବ ସମାପ୍ତି । (ପଦ)

 

ଗୁଣିଗଣେ ଅଗ୍ରଗଣ୍ୟ ଗୁଣବନ୍ତ ଗଣପତି

ଶର୍ବସୁତ ଖର୍ବତନୁ ପର୍ବତଜାଙ୍କ ଉତ୍ପତ୍ତି ।୧।

 

ଇନ୍ଦୁର ପଦେ ଆଶ୍ରିତ ଅଙ୍କୁଶ ଶଙ୍କୁନ୍ୟସତ

ନାଗଶିର ନର୍ତ୍ତନରେ ଭବରେ ଅର୍ଜିଛ ଖ୍ୟାତି ।୨।

 

ବିଷ ଧାରଣ ପବିତ୍ର ବନରେ ସଦା ବସତି,

ପୁଣ୍ୟଜନଙ୍କରେ ସେବ୍ୟ ସୁମନାଚୟ ବନ୍ଦନ୍ତି ।୩।

 

ଗୌରୀ ପ୍ରତି ମତି ସ୍ଥିତି ଭଵରେ ଅର୍ଜିଛ କୀର୍ତ୍ତି

ଦ୍ଵିଜ ଯୁକ୍ତେ ଶୋଭା ଅତି ନିଶାଚରଙ୍କ ଅରାତି ।୪।

 

କରମାଳାରେ ବିଦିତ ଗିରୀଶ ମଣ୍ଡନ ମୂର୍ତ୍ତି

ଅନନ୍ତାଶ୍ରିତ ଆପଣ ଶିରରେ ଲଭିଛ ଦୀପ୍ତି ।୫।

 

ଆଖୁ ଗୋପ ହର୍ଯ୍ୟକ୍ଷରେ୧୦ ଖରେ ଖରେ୧୧ ଯାର ଗତି,

ସେ ପାଞ୍ଚକୁ ପାଞ୍ଚ ମନେ ଗୋକୁଳାନନ୍ଦ ବଦତି ।୬।

 

୧.ପର୍ବତଜା – ପାର୍ବତୀ, ୨. ଇନ୍ଦୁର – ମୂଷା, ୩. ନାଗଶିର – କାଳିୟ ନାଗର ମୁଣ୍ତ, ୪. ପୂଣ୍ୟଜନ-ରାକ୍ଷସ, ୫. ସୁମନା –ଦେବତା, ୬. ଅରାତି – ଶତ୍ରୁ, ୭. କରମାଳା – କରିଣମାଳା, ୮. ଆଖୁ- ମୂଷା, ୯. ଗୋପ – ବୃଷଭ ,୧୦, ହର୍ଯ୍ୟକ୍ଷ – ସିଂହ, ୧୧. ଖରେ – ଆକାଶରେ ।

 

ପଞ୍ଚଦେବ ବନ୍ଦନା - ୫

 

ବପୁ ଅସୁନ୍ଦର ରିପୁ ସୋଦରର

ଠାପୁଆଙ୍କ ସରଦାର ବାପ ନାହିଁ ତୁମ୍ଭର । (ପଦ)

 

ଗୋଇ-ଗୋଡ଼ଧରା ଜାଣ

ଗୋଇଠା ଖିଆ ପ୍ରମାଣ

ମାଇପକୁ ନେଲା ଚୋର

ମାଇଁ ସଙ୍ଗରେ ଶୃଙ୍ଗାର

 

ଆହେ ଘୋଡ଼ାମୁହାଁ ଗିଳିଥିଲ ନିଆଁ

ବଅଁଶମରା ଡାହୁକ ଗଉଡ଼ର କୁମର ।୧

 

ମଶାଣିଆ ଗୋଶାଣିଆ

ମାଇପ ଛାତିରେ ଠିଆ

ବିନାଶି ଗୋରୁ ବ୍ରାହ୍ମଣ

ହାଡ଼ ହୋଇଛ ଭୂଷଣ

 

ହଡ଼ାଚଢ଼ା ଯୋଗୀ ମଡ଼ାଗନ୍ଧ ଭୋଗୀ

ବିଷ ଖାଇଲ ନ ମଲ ହୋଇଅଛ ଅମର ।୨

 

ଶବରୂଣୀ ରୂପ ବହି

କୋଳି ତୋଳିଥିଲ ଯାଇ

କେତେ ଖେଳ ଖେଳିଅଛ

ନାନାରୂପେ ରଙ୍ଗ ବହି

 

ଭଗକୁ ଦେଖଇ ଭାଗ୍ୟବତୀ ହୋଇ

ଭୋଗ କରୁଥିଲ ମହୀ ନାଶି ଦୈତ୍ୟ ପାମର ।୩

 

କୋଡ଼ିଟାଏ ସଙ୍ଗେ ଯାର

ଗିଳୁଥିଲା କପିବର

ମାଇପଛଡ଼ା ମୁକର

ଗ୍ରାସ କରଇ ଅସୁର

 

ପାଞ୍ଚଦେବ ପଦ ପାଞ୍ଚି ପାଞ୍ଚି ହୃଦ

ବନ୍ଦେ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର । ୪

 

୧. ଭଗ – ଯୋନି, ସୌଭାଗ୍ୟ ।

ବ୍ୟାଜସ୍ତୁତିରେ ଏବଂ ଅତି ଗାଉଁଲିଆ ଭାଷାରେ ଏ କବିତାଟି ରଚିତ ହୋଇଛି ।

 

ପଞ୍ଚଦେବ ବନ୍ଦନା - ୬

 

ପଞ୍ଚମନେ ପାଞ୍ଚେ ମୁହିଁ ପଞ୍ଚଦେବତା ବନ୍ଦଇ

ଏକଦନ୍ତ, ରବି, ହରି, ବିଷକଣ୍ଠ, ମହାମାୟୀ ।୧।

ଗଣେଶ ପଞ୍ଚାନନଙ୍କ କୁମର  ପୟରେ ଝଳୀ ନୂପୁର

ଗଳେ ନାନା ପୁଷ୍ପହାର କି ସୁନ୍ଦର ବିରାଜଇ ।୨।

ରବି ପଞ୍ଚଭୁତରେ ଅରୁଣ ପରିକୀର୍ତ୍ତିତ ତୋ ନାମ

ଧର୍ମରାଜ ଯୁଗେ ଯଗେ ସାକ୍ଷୀ ରୂପେ ଅଛ ରହି ।୩।

ବିଷ୍ଣୁ  ପନ୍ନଗାଶନ୧ ଉପରେ ପଦ୍ମଆଖି ନିରନ୍ତରେ

ଗଳାମାଳା ଆର୍ତ୍ତତ୍ରାଣ ବ୍ରହ୍ମାମନ୍ଦ ଭାବଗ୍ରାହୀ ।୪।

ଶିବ  ପଶୁପତି ତବ ନାମେ ପତାକା ଉଡ଼େ ସଂଭ୍ରମେ

ପ୍ରାଣୀପତି ମହାଯତି ଦୟାଳୁ ଅମ୍ବିକା-ସାଇଁ ।୫।

ଦୁର୍ଗା ପଦ୍ମାସନୀ ମା ଭାରତୀ ପତିତ ଜନ ଆପତ୍ତି

ଶୁଣ ନ କର ଗୋ ହେଳା ଗୋକୁଳାନନ୍ଦ କହଇ ।୬।

 

୧. ପନ୍ନଗାଶନ – ଗରୁଡ଼ ।

 

ହରିହର ବନ୍ଦନା

 

ଗବୀଶ-ବାହନ ମୋର ନାଶ ବିପଦ

ଅମର ବୃନ୍ଦରେ ବନ୍ଦନୀୟ ଶ୍ରୀପଦ ।୧।

 

କୁମାର-ଜନକ ଜନ ଦୀନକୁ ହର,

ପଶୁର ପତି ଆପଣ ଅସୁରପର ।୨।

 

ନଗଜାର୍ତ୍ତି ହର ହର ଧରା ଆରତ

ଚିତ୍ତରେ ହିତ ନିମିତ୍ତ ଭାଳେ ନିରତ ।୩।

 

ଶଶିଖଣ୍ତ-ମୌଳି କ୍ଲେଶ କର ହରଣ

ହୃଦରେ ଗୋକୁଳାନନ୍ଦ କରେ ସ୍ମରଣ ।୪।

 

୧. ଗବୀଶବାହନ – ଶିବ । ବୀଶବାହନ – ପକ୍ଷୀଶ୍ଵର ବା ଗରୁଡ଼ବାହନ, ନାରାୟଣ ।

୨ କୁମାର – କାର୍ତ୍ତିକେୟ । ମାର – କନ୍ଦର୍ପ ।”

 

“ଗବୀଶପତ୍ରୋ ନଗଜାର୍ତ୍ତିହାରୀ

କୁମାରତାତଃ ଶଶିଖଣ୍ତମୌଳିଃ ।

 

ଲଙ୍କେଶ – ସଂପୂଜିତ – ପାଦପଦ୍ମଃ

ପାୟାଦନାଦିଃ ପରମେଶ୍ଵରୋ ନଃ ।।

 

ଏହି ବନ୍ଦନାଟି ଉପର୍ଯୁକ୍ତ “ହରିହର” ବନ୍ଦନାର ଅନୁସରଣରେ ରଚିତ ।

 

ରାମନିଧି

 

ରାମନିଧି ଦେବ ବାରେ ଦୟା ହେବ

ବିନାଶିବ ଦୁଃଖଭାରା

ରାମେଶ୍ଵର ଗ୍ରାମେ ବିଶ୍ରାମ କରିଛ

ପଦେ ମନ୍ଦାକିନୀ ଧାରା ।

ରାତି ପତି ହରା, ରାତି ପତି ହରା

ରାଜପ୍ରତିଷ୍ଠିତ ତୁମେ ପରା ।୧।

ମହୀପତି ଦଶରଥଙ୍କ ନନ୍ଦନ

ପୂଜା କରିଥିଲେ ରାମ

ମସ୍ତକରେ ମୁଦି ଚିହ୍ନ ରହିବାରୁ

ହେଲା “ରାମନିଧି”ନାମ ।

ମହିମା ଅସୀମ, ମହିମା ଅସୀମ,

ମହେଶ ପୁରାଅ ମନସ୍କାମ ।୨।

ନିବେଦନ କରୁଅଛି ଶ୍ରୀପୟରେ

ଭୃତ୍ୟ ଯୋଡ଼ି ବେନିପାଣି

 

ନିରନ୍ତରେ ତାକୁ ସାହା ହେଉଥିବ

ଏତିକି ମାତ୍ର ମାଗୁଣି ।

 

ନିଶ୍ଚେ ହେବ ହାନି, ନିଶ୍ଚ ହେବ ହାନି

ନିଦାରୁଣ ହେଲେ ଶୂଳପାଣି ।୩।

ଧୀମନ୍ତ ସମାଜେ ପ୍ରଶଂସା ଲଭିବି

ଏ କାମନା କର ସିଦ୍ଧି

 

ଧିଆନ କରୁଛି ପାମର ଗୋକୁଳାନନ୍ଦ

ପଦ ନିରବଧି ।

ଧୀରେ ହର ବ୍ୟାଧି ଧୀରେ ହର ବ୍ୟାଧି

ଧିକ୍‍କାର ଶୁଣିବା ନୋହୁ ସିଦ୍ଧି ।୪ ।

 

ରାମନିଧି ଦେବ

 

ରାମନିଧି ଦେବ ଦୁଃଖପାସୋରା

ରାଜଇ ମସ୍ତକେ ଜାହ୍ନବୀ ଧାରା

ରାମ ପୂଜିଥିଲେ ତୁମ୍ଭଙ୍କୁ ପରା

ରାଜା ଖଞ୍ଜିଦେଲେ ଭୂମି ଉର୍ବରା ହେ

 

ରାଗେ ବଧିଲ ତ୍ରିପୁରା

ରାଜ୍ୟେ ନାନା ନାମେ ପୂଜା ପାଉଅଛ

କେ କହି ପାରିବ ସାରା 

ମନ୍ଦାକିନୀର ଦକ୍ଷିଣରେ ଧାମ

 

ମଉଜା ଖ୍ୟାତ ରମେଶ୍ଵର ନାମ

ମନ୍ଦିର ତୁମର କି ଅନୁପମ

ମହା ଦୁଃଖରେ କରିଛ ବିଶ୍ରାମ ହେ

ମହେଶ ଗିରୀଶ ଭୀମ

 

ମଣ୍ତିତ ହୋଇଛ ବିବିଧ ନାମରେ

ମହିମା ଅଟେ ଅସୀମ

ନିରନ୍ତରେ ଉମା ତୁମ ସଙ୍ଗିନୀ

ନିଶାରେ ଭ୍ରମନ୍ତି ଘେନି ଯୋଗିନୀ

 

ନୀତି ନ କରନ୍ତି ତୁମ୍ଭକୁ ମାନି

ନିରତେ ପିନ୍ଧିଲେ ପାଟପତନୀ ହେ

ନିଯୋଗୀଙ୍କ ହେଲା ହାନି

ନିନ୍ଦାକୁ ଟିକିଏ ଖାତିରି ନ କଲ

 

ଉଠିଗଲା ରାଜଧାନୀ

ଧୀରପଣିଆ ବେଳୁ ବେଳ ବୃଦ୍ଧି

ଧିକ୍‌କାରକୁ କରିଲେଣି ପ୍ରସିଦ୍ଧି

ଧିଆନ କରୁଛି ମୁଁ ନିରବଧି

 

ଧୀରେ ଘେନ ବାରେ କୃପାବାରିଧି ହେ

ଧୀମନ୍ତେ ଲଭିବି ସିଦ୍ଧି

ଧିର କରି ତୁମେ କୃପା ମୌଷଧିରେ

ଖଣ୍ଡିବ ମୋହର ବ୍ୟାଧି

 

ଦେବାଧିଦେବ କି ଶୋଇଛ ନିଜେ

ଦେଲେ ନାହିଁ ଜଳ ତୁଳସୀ ପାଦେ

ଦେଖାଇଲେ ନାହିଁ ଭୋଗ ନୈବେଦ୍ୟେ

ଦେଉଳେ ବରଷା ହୋଇଲା ହାଦେ ହେ

 

ଦେବସ୍ଵ ଖାଇଲେ ମୋଦେ

ଦେଣା ନ ଦେବାରୁ ମାହାଲରୁ କେତେ

ହସ୍ତାନ୍ତର ଅପ୍ରମାଦେ

ବସିଛ ହୋଇ ଆପଣ ନୀରବ

 

ବଳେ ଅବଶ୍ୟ ଏ ଫଳ ଫଳିବ

ବସୁଧା ମଧ୍ୟେ ମୁଁ ବଡ଼ ଗରିବ

ବସିଣ ଦାସଭାବେ ସଦାଶିବ ହେ

ବହନ ମୋତେ ତାରିବ

 

ବଦତି ଗୋକୁଳାନନ୍ଦ ଯଦି ଏହା

କରିଛ ଯେଅନୁଭବ ।୬ ।

 

୧. ସାରା - ସାବୁକଥା, ୨. ମନ୍ଦାକିନୀ ନଦୀ – ଆଜିର ନାମ ମଲାଗୁଣି । ଖୋର୍ଦ୍ଧା ସହରର ଦକ୍ଷିଣକୁ ଯେଉଁଜାତୀୟ ରାଜପଥ ଯାଇଛି, ତହିଁରେ ପ୍ରାୟ ୨୦ କି.ମି ଗଲାପରେ ମଲାଗୁଣି ନଦୀ ପଡ଼େ । କବିବର ରାଧାନାଥ ରାୟ ଏହି ସ୍ଥାନର ବର୍ଣ୍ଣନା କରି ଲେଖିଛନ୍ତି ‘ନଦୀ ମନ୍ଦାକିନୀ ଅମନ୍ଦଗାମିନୀ । ରଣପୁର ରାଷ୍ଟ୍ର ବନବିହାରିଣୀ ।। ଏହି ନଦୀର ଦକ୍ଷିଣ ପାର୍ଶ୍ଵରେ ରାମନିଧି ମନ୍ଦିର-। ଓ ଲୋକମୁଖରେ ଗ୍ରାମର ନାମ ରାମେଶ୍ଵର ହୋଇଛି । କବି ଗୋକୁଳାନନ୍ଦ ଏଠାରେ ରାମନିଧିଙ୍କ ସେବା, ଆରାଧନା କରି ବରଲାଭ କରିଥିଲେ । ଛଅଟି ପଦର ପ୍ରଥମ ଅକ୍ଷର ଯଥାକ୍ରମେ: ରା-ମ-ନି-ଧି-ଦେ-ବ ।ନିଜେ ରାମଚନ୍ଦ୍ର ଏହି ପୀଠ ସ୍ଥାପନ କରି ପୂଜା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି

 

ଉଗ୍ରତାରା ଭରସା (ଅକ୍ଷରାନୁ ପ୍ରାସ ଜଣାଣ)

 

ଉମା ଅଭୟା ଉଗ୍ରତାରା, ମାତ ମହାମାୟା (ଘୋଷା)

 

ଉଶନା ଶିଷ ନାଶିନୀ, ଉତ୍ତମ ଜନ ତୋଷିଣୀ

ଉଗ୍ର ମୂର୍ତ୍ତି ଧରି ଉଗ୍ର ଛାତିରେ ହୋଇଛୁ ଠିଆ ।୧।

 

ଗ୍ରହସଂଖ୍ୟାଭବରନି, ଗ୍ରହଣ କରୁ ଦଇନି

ଗ୍ରହ ‘ଅ’ ପୂର୍ବ ଦାନରେ, ବିଜେ କରୁ ଗିରିକାୟା ।୨।

 

‘ତାରା’ ନାମ ଯେହୁ ଗୁଣେ , ତାହାକୁ ବିପଦୁ କ୍ଷଣେ

ତାରିବାରୁ ଶୁଭୁଅଛି, ଜନମୁଖେ ତୋ ସୁଦୟା ।୩।

 

ରାଜୀବ ପଦଯୁଗଳ, ରାଜଇ କେଡ଼େ ମଞ୍ଜୁଳ

ରାତ୍ରିରେ ଭ୍ରମଣ କରୁ, ଆରୋହି କାନନ – ଶ୍ରୟା ।୪।

 

ଭଜେ ତୋତେ ଯେଉଁ କୋକ, ଭଂଜନ କରୁ ତା ଦୁଃଖ,

ଭବଚୟ କ୍ଷୟକାରୀ, ବୋଲାଉ ରଣେ ବିଜୟା ।୫।

 

ରକ୍ତଭକ୍ଷଣୀ ଖର୍ପର ରଖିଅଛୁ ନିଜକର

ରକ୍ଷକୁଳେନ୍ଦ୍ର ମ’ହିଷା ମଲା ମନ୍ଦ ପାଞ୍ଚି‌ ହିଆ ।୬।

 

ସାରି ଦେଉଛି ଦୁର୍ଦ୍ଦଶା, ସାହା ହୁଅ କୃପାଦୃଶା

ସାନନ୍ଦେ ରଖ ଗୋକୁଳାନନ୍ଦକୁ କରି ସୁଦୟା ।୭।

 

୧. ଉଶନା ଶିଷ (ଶିଷ୍ୟ) – ବଳିରାଜା । ତାର ଗର୍ବନାଶିନୀ,

ଗ୍ରହସଂଖ୍ୟା-ନ ( ତହିଁରେ ଯୁକ୍ତ ହେବ ‘ଭବରନି’ ।

ନଭବରନି – ନିର୍ମଳ ଆକାଶ ପରି ନୀଳ ରଙ୍ଗ ଯାହାର,

୨ . ଗ୍ରହ ‘ଅ’ ପୂର୍ବଅଗ୍ରହ (ଅଭୟ),

 

କବିତାର ଶୀର୍ଷକର ସାତୋଟି ଅକ୍ଷର ପଦଗୁଡ଼ିକର ଆଦ୍ୟଵର୍ଣ୍ଣ ରୂପେ ଯଥାକ୍ରମେ

ବ୍ୟବହୃତ ହୋଇଛି ।

 

ଜଗନ୍ନାଥ ହେ ନନ୍ଦତନୁଜ

 

ଜଗନ୍ନାଥ ହେ ନନ୍ଦତନୁଜ

ଜ(ଯ) ଦୁବଂଶଜ ବଳ- ଅନୁଜ

ଜଗତୁ ନାଶ କଇ ଦନୁଜ

ଜପନ୍ତି ନାମ ନିତି ମନୁଜ । (ଘୋଷା)

ଗଭୀର ଜଳେ ନକ୍ର-ନାଗ ଯୋଗ

ଗତିହୀନ ହୋଇ ଡାକିଲା ନାଗ

ଗର୍ବହର ସର୍ବଜ୍ଞ ସର୍ବପୂଜ୍ୟ

ଗଜ ଦୁଃଖକୁ କଲ ଖାରଜ ।୨।

ନାଶ କରିବାକୁ ବ୍ୟାଧ ଦୁର୍ମନା

ନାନା ଉପାୟ କରନ୍ତେ ରଚନା

ନାମ ନେଇ ମୃଗୀ କଲା ଭାବନା

ନାରାୟଣ ଶ୍ରୀପଦ ସରୋଜ ।୩।

ଥରେ ବଳିଦ୍ଵାରେ ମାଗିଲ ଅର୍ଥ

ଥବିର ରୂପକୁ ବହି ଯଥାର୍ଥ

ଥକି ଗଲେ ଶୁକ୍ର କରି ଅନର୍ଥ

ଘେନ ଗୋକୁଳାନନ୍ଦ ଅରଜ ।୪।

 

ଲିଙ୍ଗରାଜ

 

ଥକା ହୋଇ କେହି ତକାଇ କହାଇ

ଏକାମ୍ର କାନନବାସୀ ଅଗ୍ରତରେ;

ଦକା ମୋ ନିବାର ଧକ୍‌କା ଦେଇ କାଢ଼

ଯେତେ ମୋ ପାତକଶୂଳ ଅଗ୍ରତରେ ।୧।

 

ଢକାରେ ବାଜୁଛି ଡକା ପକାଉଛି,

ଠକାର ନକର ସର୍ବ ଜଗତରେ,

ଢକା ତେଜନେତ୍ର ଫକା ହୋଇଅଛି

ବକାରିସୁତ ବିନାଶ ନେତ୍ରାନ୍ତରେ ।୨।

 

ଟଙ୍କାରେ ଯା ଆଶା ନ କର ନିରାଶା

ଟଙ୍କାର ଧନୁର ସାର ଜଗତରେ,

ଜନେ ଦକ ଦକ ଜ୍ୟୋତି ଛକାପଞ୍ଝା

ନୀତି ତିନି ନେତ୍ର କଲ କିଞ୍ଚିତରେ ।୩।

 

ଲଙ୍କା ଦୁସ୍ତରରେ ଲଙ୍କାରି ହସ୍ତରେ

ବଙ୍କା ନୋହୁ ମୋର ଗିର ଉଚିତରେ;

 

ଶଙ୍କା ସୁମନରେ ସକାଶେ ତୋ ଠାରେ

ସକାଳ ସଞ୍ଜରେ ଜଣାଏ ମୁଁ ତୋରେ ।୪।

 

ଈଶ୍ଵର ଈଶାନ ଶ୍ରୀଚନ୍ଦ୍ରଶେଖର,

ଗିରିଶ ଗିରୀଶ ଶୁଣ ବାରେ ଗିର;

ବୃଷେଶ ଶଙ୍କର କାକର ପ୍ରକାରେ

ନିରାଶ ନ କର ଗୋକୁଳାନନ୍ଦରେ ।୫।

 

ନାରାୟଣ ସ୍ତବ

 

ପଦ୍ମାଳୟା ପତି ଭକ୍ତର ସଂପତ୍ତି

ଆର୍ତ୍ତତ୍ରାଣ ପରାୟଣ ନାରାୟଣ ମୋ ଗତି । (ପଦ)

ବାତ୍ସଲ୍ୟାଭୟ ପ୍ରଦାନ, ଆର୍ତ୍ତି ଆର୍ତ୍ତ ନିର୍ବାପନ

ଔଦାର୍ଯ୍ୟ ଅଘ-ଶୋଷଣ , ଅକ୍ଷୟ ଶ୍ରେୟବିଧାନ ।୧।

 

ହିରଣ୍ୟ ବଦତି ପୁତ୍ର, ତୋ ହରିସ୍ଥିତି ସର୍ବତ୍ର

ସ୍ତମ୍ଭୁ ହେବେ କି ସମ୍ଭୂତ, ଏକଥା ସ୍ମରିବା ମାତ୍ର

ତହୁଁ ଆବିର୍ଭୂତ ହୋଇ ତ୍‌ତକ୍ଷଣାତ୍‌

ତୀକ୍ଷ୍‌ଣ ନଖେ ରକ୍ଷବକ୍ଷ ବିଦାରିଲେ ଝଟତି ।୨।

 

ହାଟକ କଟକ ପତି, କଣ୍ଟକ ସୋଦର ପ୍ରୀତି

ବଟପୁଟ ବାସୀକତି, ଝଟତି ଶରଣ ଅର୍ଥୀ

ଘଟନାଦି ସର୍ବ, ରଟନା ସୁଗ୍ରୀବ

ପାଟ ଛଟକରେ ବାନ୍ଧିଦେଲେ ଲଙ୍କାବିଭୂତି ।୩।

 

ନକ୍ରଗ୍ରସ୍ତ-ପଦ କରୀ ଚକ୍ରହସ୍ତେ ଚିନ୍ତା କରି

ଶୁକ୍ର ସଂକ୍ରନ୍ଦନ ବେନି, ସଂକ୍ରନ୍ଦନ ଯାହା ଘେନି

 

ତ୍ରିବିକ୍ରମ ହରି ବିକ୍ରମ ଆଚରି

ଚକ୍ର ପ୍ରେଷଣେ ତତ୍‌କ୍ଷଣେ ଦୂର କଲ ବିପତ୍ତି ।୪।

 

ଦ୍ରୁପଦ ନୃପ ଦୁଲାଳୀ, ବିପଦେ ଶ୍ରୀପଦେ ଭାଳି

କୃପଣ ନୋହି କୃପାରେ, ସୁପର୍ଣ୍ଣ ଆସନ-ପରେ

କୋପନା-ସମାପ ଗୋପନେ ଅମାପ

ବସନ ଦାନରେ ଦାନ କଲ ତାଙ୍କ ବିପତ୍ତି ।୫।

 

ଚରଣ ନଖର ନୀର, ହରଣ କଳୁଷ ଘୋର

ରମାରମଣ ଦୁହିତା, ଗୀର୍ବାଣ ଗଣ ଶରଣ

ପୟର ସ୍ପର୍ଶେଣ ଅରଣ୍ୟେ ପାଷାଣ

ବିଧୁହେତୁ ସାଧୁବଧୂ ବିଧୁମୁଖୀ ଯୁବତୀ ।୬।

 

ଉତ୍ତାନ ଉତ୍ତମ ଅଙ୍କ, ଉତ୍ତମ ଭୋଗ ନିଶଙ୍କ

ମତି ଦିଅନ୍ତେ ସୁନୀତି ସୁନୀତିଜ୍ଞ ସୁତ ତଥି

ସୁରୁଚି ଅସୁରୁଚି ହେବାରୁ ମୁରୁଛି

ମନଜ୍ଞାନେ ବନେ ଧ୍ୟାନେ ଉଚ୍ଚସ୍ଥାନେ ବସତି ।୭।

 

ନାରାୟଣ ପରାୟଣ ଅଷ୍ଟାଦଶକରୁ ଜାଣ

ଶେଷ ଶ୍ଲୋକକୁ ଲଗାଇ, ଷଟଶ୍ଳୋକ ଗଲି ଗାଇ

 

ଅର୍ଥଟି ଯଥାର୍ଥ, ଲଭିବ କୃତାର୍ଥ

କରଣ ଗୋକୁଳାନନ୍ଦ ପଟ୍ଟନାୟକ ବଦତି ।୮।

 

୧.ଅଘଶୋଷଣ – ପାପନାଶନ, ୨. ହାଟକ – ସ୍ଵର୍ଣ୍ଣ,, ୩. ସଂକ୍ରନ୍ଦନ – ଇନ୍ଦ୍ର, ୪. ସୁପର୍ଣ୍ଣ – ଗରୁଡ଼,୫. ଦାନ କଲ – ଛେଦନ କଲ (‘ଦୋ’ ଅବଖଣ୍ତନେ ଇତି-ଅର୍ଥ) ।

 

୬. ଗୀର୍ବାଣ – ଦେବତା ।

ହିରଣ୍ୟତନୁଜ – ପ୍ରହ୍ଲାଦ

ଦଶାନନାନୁଜ – ବିଭୀଷଣ

 

ଶଙ୍କରାଚାର୍ଯ୍ୟଙ୍କ ଛଅ ଗୋଟି ଶ୍ଳୋକର ଅବଲମ୍ବନରେ ଏହା ରଚିତ ।

 

ମହାଦେବ ହେ

(ଦାସକାଠିଆ ବୃତ୍ତ)

 

ମହାଦେବ ହେ ଶିବ ଶଙ୍କର ଭୀମ

ମକରକେତନ ଗର୍ବଖର୍ବକାରୀ

ମହୀମଣ୍ଡଳେ କେ ତୁମକୁ ସମ । (ଘୋଷା)

 

ମନେ ଗୁଣି ତୁମରି ନାମ

ମହେଶ୍ୱର କରେ ପ୍ରଣାମ

ମହିଳା - ଲଲାମ ମଞ୍ଜୁ ମନୋରମ

ମଙ୍ଗଳା ମଜ୍ଜିଛନ୍ତି ତୁମ୍ଭ ପ୍ରେମ ।୧।

 

ହାତ ଯୋଡ଼ି ଜଣାଏ ଏହା

ହାନି ନ କରି ହୁଅ ସାହା

ହା ହା ପଞ୍ଚମୁହାଁ ହାଟକାଙ୍ଗୀ - ନାହା

ହାତୀ - ଉତ୍ତମାଙ୍ଗ ପୁତ୍ର ଉତ୍ତମ ।୨।

 

ଦେବଦେବ ଶ୍ରୀପଦେ ବନ୍ଦେ

ଦେବ ମୋତେ କରୁଣା ମୋଦେ

 

ଦେଖୁଅଛି ହାଦେ ଦଶାର ପ୍ରମାଦେ

ଡେରିକଲେ ସରିଯିବ ଅଧମ ।୩।

 

ବସି ଦାସ ଘୋଷୁଛି ଶିବ

ବହନ କଷଣ ନ ଦେବ ।

ବରେ ସୁଖ ଦେବ ବଳ ଦେବ ଲବ

ବଦତି ଗୋକୁଳାନନ୍ଦ ଅଧମ ।୪।

୧. ଉତ୍ତମାଙ୍ଗ – ମୁଣ୍ଡ, ୨. ଲବ – ଅଳ୍ପ ।

 

ରୁଦ୍ର ହେ କୃପାସମୁଦ୍ର

 

ରୁଦ୍ର ହେ କୃପାସମୁଦ୍ର

ଭକତ – ରକ୍ଷଣେ ଭଦ୍ର (ଘୋଷା)

 

ରୁରୁ ଲୋଚନା ଭାମିନୀ

ଭବାନୀ ସେବକ ଶୂଦ୍ର

ରୂପାସ୍ତ୍ର ଜଳିଲା କୋପେ

କରିବାରୁ ବୁଦ୍ଧି କ୍ଷୁଦ୍ର ।୧।

 

ଋକ୍ଷପତି ଗଙ୍ଗା ଧରି

ହେଉଅଛ ସଦା ଆର୍ଦ୍ର

‘ରୁ’ ଆଦ୍ୟ ‘ଦ୍ର’ ପ୍ରାନ୍ତେ କହେ

ଗୋକୁଳାନନ୍ଦ ଦରିଦ୍ର ।୨।

 

୧. ରୁରୁ – ମୃଗ,

୨. ଭାମିନୀ – ସ୍ତ୍ରୀ,

୩. ରୂପାସ୍ତ୍ର – କନ୍ଦର୍ପ,

୪. ଋକ୍ଷପତି – ଚନ୍ଦ୍ର ।

 

‘ପ’ ବର୍ଗରେ ଶିବ ସ୍ତବ

ବଂ ବଂ ବାବା ଭୀମ

ମୁଁ ବିଭ୍ରମେ ଭ୍ରମି ଭ୍ରମି ବିଭାବ । (ଘୋଷା)

 

ପାପୀ ପାପ ମାପ ପବି ଫାବିବ

ମା ବାପ ଭବ ଭୌମ ବ୍ୟାପୁ ଭାବ ।୧।

 

ବାମେ ବାମା ବପୁ ପ୍ରଭା ପ୍ରଭବ

ଭୂମିଭୂପ ବିଭୁ ବିଭା ଫାବିବ ।୨।

 

ପ ବର୍ଗ ଓଷ୍ଠ ସରୋଷ୍ଠ ଏ ସର୍ବ

ଗୋକୁଳାନନ୍ଦର ଭରସା ସର୍ବ ।୩।

 

୧. ଭୀମ – ଶିବ, ୨. ବିଭ୍ରମେ – ବିଗତଜ୍ଞାନେ (ବିଶେଷ ଭ୍ରମ ହେତୁ) , ୩. ପବି – ବଜ୍ର, ୪. ଭୌମ – ମଙ୍ଗଳ, ୫. ଭୂମିଭୂପ ରାଜ୍ୟର ରାଜା, ୬ . ଫାବିବ – ପ୍ରାପ୍ତ ହେବ, ୭. ‘ପ’ ବର୍ଗ – ପ , ଫ,ବ,ଭ,ମ, ୮. ସର୍ବ-ଶିବ, ସଂସ୍କୃତରେ କେବଳ ପବର୍ଗରେ ଶିବସ୍ତବ ଅଛି । ଶିବସ୍ତବ ଯଥା – ପିନାକ-ଫଣି-ବାଳେନ୍ଦୁ-

 

ଭସ୍ମ – ମନ୍ଦାକିନୀ – ଯୁତଃ ।

ପବର୍ଗ ରଚିତଃ ଶମ୍ଭୁଃ

ଅପବର୍ଗଂଦଦାତୁ ମେ

 

ଏହି ଶ୍ଲୋକରେ । କେବଳ ଶିବଙ୍କର ପରମପ୍ରିୟ ୫ଟି ପଦାର୍ଥର ପ୍ରଥମ ଅକ୍ଷରକୁ ନେଇ ‘ପ’ବର୍ଗର କଳ୍ପନା କରାଯାଇଅଛି । ଯଥା – ପିନାକ, ଫଣି, ବାଳେନ୍ଦୁ (ଅର୍ଦ୍ଧଚନ୍ଦ୍ର), ଭସ୍ମ ଓ ମନ୍ଦାକିନୀ ଅକ୍ଷରଗୁଡ଼ିକୁ ମିଶାଇଦେଲେ ‘ପ’ ବର୍ଗ ହୋଇଗଲା ଯଥା – ପ, ଫ, ବ, ଭ, ମ ।

 

ଜୟ ଯଶୋଦା କୁମର

 

ଜୟ ଯଶୋଦା-କୁମର ମରଣକାଳେ ମୋହର,

ହର ଯମଦଣ୍ତ ଜଣାଉଛି ଛାମୁର

ମୁରଦାରୁଣକୁ ମାରି ମାରୀଚକୁ ନାଶ କରି

କରୀକୁ ଜଳରେ ରକ୍ଷାକଲ ଠାକୁର

 

କୁରଙ୍ଗୀର ଶୁଣି ଆରତ

ରତ ହେଲ ତାର କ୍ଲେଶ ନାଶ ନିମିତ୍ତ

ମିତ ଦ୍ଵିଜ ଦାମୋଦର ଦରଧର ତାହାଙ୍କର

କରତନ କଲ କ୍ଳେଶ ଦେଇ ସଂପତ୍ତି

 

ପତିତପାବନ ଦେବ ଦେବକୀ ଗର୍ଭୁ ସଂଭବ

ଭବମଧ୍ୟରୁ ନାଶିଲ ସୁର-ଅରାତି

ରାତି-ଅଧେ ମୁରଲୀ ବାଇ

ବାଇ କଲ ଗୋପୀଙ୍କି ହେ ଦିନେ କହ୍ନାଇ

 

ନାହିଁ ଅନ୍ୟ କେ ଶରଣ ରଣରେ ତ ବିଚକ୍ଷଣ

କ୍ଷଣକମଧ୍ୟରେ ନାଶି ପାର ସଂସାର

 

ସାର ତୁମେ ଜଗତରେ ତରେ ଜଣାଏ ପାଖରେ

ଖରେ ଦୁଃଖରୂପ ଖରା ହେଲା ପ୍ରଖର

 

ଖରଶତ୍ରୁ ଆଶ୍ରା ବିଚାରି

ଚାରିଭୁଜ ଅନାଥ ମୁଁ ହେଲି ଏପରି

ପରୀକ୍ଷିତଙ୍କୁ ଜୀବନ ବନମାଳୀ କଲ ଦାନ

ଦାନବ ରାଜା କଂସକୁ କଲ ସଂହାର

 

ହାର କଉସ୍ତୁଭୁ ଯାର ଜାରପଣିଆ ପ୍ରଚାର

ଚାର ହୋଇ ଯାଇଥିଲ ପାଣ୍ତବଙ୍କର

ବକର ବଇରି ଶ୍ରୀଧର

ଧର ଧରି ଦର୍ପ ଦଳିଲ ବାସବର

 

ବରଜିଲ ରାଜପଣ ପଣ କରିଣ ରାବଣ

ବଣରେ ବୁଲି ବଧିଲ ଘେନି ମର୍କଟ

କଟକ ଦ୍ଵାରକାପୁର ପୁରସ୍ତମ ଏବେ ସାର

ସାରସାକ୍ଷ ନ ଫେଡ଼ିଲ ମୋର ସଂକଟ

 

ସଙ୍କଟ-ମୋଚନ ଶ୍ରୀବାସ

ବାସନା ପୂରଣ କର ଜଣାଏ ଦାସ

 

ଦାଶରଥି ରଘୁବର ବର ମଇଥିଳୀଙ୍କର

କରରେ କାଣ୍ତ କୋଦଣ୍ତ କେଡ଼େ ସୁନ୍ଦର

 

ସୁନ୍ଦର କୁମରବର ପରମାନନ୍ଦ ଶ୍ରୀଧର

ଧରଣୀ ମଧ୍ୟେ ପୂଜନ୍ତି ସଚରାଚର

ଚରଣ ଧୋଇଲା କୈବର୍ତ୍ତ

ବର୍ତ୍ତମାନ ତାର ନାମ ଖ୍ୟାତ ଜଗତ

 

ଗତ କଥା ଏ ପଥର ପଥରକୁ ନାରୀ କଲ

ବଲବଲ ହେଉଥିଲା ପଡ଼ି ବିପିନ

ପୀନଜଘନା ପାଲଟା ଲଟାରେ କଲ କାଛଟା

ଛଟାରେ କଦମ୍ଵ ଡାଳେ କରି ବନ୍ଧନ

 

ବନ୍ଧନ ମୋଚନ ତତ୍ପର

ପରଶୁରାମଙ୍କୁ ହେଳେ କଲ କସୁର

ସୂରସୁତ ସଙ୍ଗେ ଭାବ ଭାବଗ୍ରାହୀ କଲ ଯବ

ଜବର ବଳୁଆ ନାଶ କଲ ବାଳୀକି

 

ବାଳୀକି ଦେଲ ସଂପଦ ନନ୍ଦକଧର ଶ୍ରୀପଦ

ପଦରେ ଶ୍ରୀହରି ଚାପିଥିଲ ବଳିକି

 

ବଳି କିଏ ତୁମ୍ଭଙ୍କୁ ଯିବ

ଜୀବ ଗୋକୁଳାନନ୍ଦର ତୋ ନାମେ ଯିବ

 

୧. ଦରଧର – ଭୟପର୍ବତ ।୨. ସାରସାକ୍ଷ – ପଦ୍ମନେତ୍ର, ୩. ସୂରସୁତ – ସୂର୍ଯ୍ୟସୁତ ସୁଗ୍ରୀବ । ପାଦଟୀକା ଶୃଙ୍ଖଳା- ପ୍ରତ୍ୟେକ ପାଦର ଶେଷ ଦୁଇ ଅକ୍ଷର ଯାହା , ପରବର୍ତ୍ତୀ ପାଦର ପ୍ରଥମଦୁଇ ଅକ୍ଷର ସେଇଆ । ଏ ପ୍ରସଙ୍ଗରେ ଅଭିମନ୍ୟୁଙ୍କ ବିଧଗ୍ଧ ଚିନ୍ତାମଣିରେ ୫୧ ଛାନ୍ଦ ଅତ୍ୟନ୍ତ ଜନପ୍ରିୟ ।

 

ଆପଣଙ୍କ ପରି ତ ଦାତା ନାହାନ୍ତି ଜଣେ

 

ଆପଣଙ୍କ ପରି ତ ଦାତା ନାହାନ୍ତି ଜଣେ

କୃପଣ କାହିଁକି ମୋର କରମକୁ

ଅର୍ପଣ ନ କଲ ଈକ୍ଷଣ କ୍ଷଣେ । (ଘୋଷା )

 

କିଞ୍ଚିତରେ ଆହେ ଅଚ୍ୟୁତ

ଉଚିତରେ ବିଚାର ଚିତ୍ତ

ମିତକୁ ଅପରିମିତ ବିତ୍ତ ଦତ୍ତ

କରିଛ ତ ସେତ ଖ୍ୟାତ ପୁରାଣେ ।୧।

 

ଆପଦରେ ଦ୍ରୁପଦସୁତା

ଶ୍ରୀପୟରେ କରନ୍ତେ ଚିନ୍ତା

ବିପଦ ଖଣ୍ତିଲ ସମ୍ପଦ ଯା ଦେଲ

ସମ୍ପଦିବ ଭବେ କିଏ ତା ଜଣେ ।୨।

 

କେକୀ ପୁଚ୍ଛ ମୁକୁଟଧର

ଟେକିଦେଲେ ଟିକିଏ କର

ବାକି ରହନ୍ତା କି ମୋହର ଦାରିଦ୍ର୍ୟ

ବିକିଲେ କିଣନ୍ତି ବଇଶ୍ରବଣେ ।୩।

 

ଧନ ମାନ ଜୀବନ ଜ୍ଞାନ

ଦାନବାରି କର ପ୍ରଦାନ

ନିର୍ଧନ ହେତୁରୁ ଭାବନା କର ହେ

ଅଧମ ଗୋକୁଳାନନ୍ଦ କରଣେ ।୪।

୧. ବଇଶ୍ରବଣେ –କୁବେରକୁ ।

 

ପୁଣ୍ତରୀକାକ୍ଷ ଜଣାଣ

 

ନମସ୍ତେ ନନ୍ଦନନ୍ଦନ

ନମସ୍ତେ ପୁଣ୍ତରୀକାକ୍ଷ

ଆର୍ତ୍ତ ଆର୍ତ୍ତି ବିନାଶନ

ଶରଣ ରକ୍ଷକ ରକ୍ଷ ।୧।

 

ପ୍ରହ୍ଲାଦ ହ୍ଲାଦ – ଦାୟକ

ନମାମି ନର- ହର୍ଯ୍ୟକ୍ଷ

କାଳିନ୍ଦୀତଟ ବିହାରୀ

ନୀଳେନ୍ଦୀବର ପ୍ରତ୍ୟକ୍ଷ ।୨।

 

ଭବାଦି ବନ୍ଦିତ ଦେବ

ଗବାଦି ପଶୁ ସଂରକ୍ଷ

ନନ୍ଦକ ଖଡ୍ଗ ଧାରକ

ପଦାଙ୍କ ଶୋଭିତ ବକ୍ଷ ।୩।

 

ପଦାରବିନ୍ଦ ରୁଚିର

ମନ୍ଦାର ସୁମନ ଲକ୍ଷ୍ୟ,

 

ଅବ୍ୟକ୍ତ ଅଚିନ୍ତ୍ୟ ମୂର୍ତ୍ତି

ସଂଚିନ୍ତ୍ୟ ସନ୍ତତ ତାର୍କ୍ଷ୍ୟ ।୪।

 

ଚତୁର୍ବର୍ଗ ଫଳଦାୟୀ

ଧର୍ମ, ଅର୍ଥ, କାମ ମୋକ୍ଷ

ଗୋକୁଳାନନ୍ଦ ଗୋବିନ୍ଦ

ଜଗତ ବ୍ୟାପି ଜଗତ୍‌ ରକ୍ଷ ।୫।

 

୧. ଆର୍ତ୍ତ-ପୀଡ଼ିତ ୨. ଆର୍ତ୍ତି-ପୀଡ଼ା, ୩. ହର୍ଯ୍ୟକ୍ଷ – ସିଂହ, ୪. ତାର୍କ୍ଷ୍ୟ – ଗରୁଡ଼ । ଏପଦ୍ୟରେ ଜଣେ ମୁକ୍ତିକାମୀ ଭକ୍ତ ଦୃଷ୍ଟିରୁ ଭଗବାନ ବିଷ୍ଣୁଙ୍କର ସୁନିର୍ଦିଷ୍ଟ ଗୁଣାବଳୀ ସଂଗ୍ରହ ପୂର୍ବକ ଏକ ସାରସ୍ଵତ କୁସୁମମାଳା ରଚନା କରାଯାଇଛି ।

 

ବଳଦେବ ଡାକୁଛି ଜଣେ ଗରିବ

 

ବଳଦେବ ଡାକୁଛି ଜଣେ ଗରିବ

ବଳାବଳ ଶତ୍ରୁକୁ କ୍ଷୟ କରିବେ

ବଳକ୍ଷ ବର୍ଣ୍ଣ କେହୁ, ବର୍ଣ୍ଣି ପାରିବ

ବଳକା ଚାହେଁ ନାହିଁ, ମୋତେ ତାରିବ ।୧।

 

ଲକ୍ଷ୍ୟ କେ ଖୋଜିଲେ ଶ୍ରମ କେବଳ

ଲକ୍ଷକେ ନୋହିବ ଶକ୍ତି ପ୍ରବଳ

ଲକ୍ଷଣ ଚୟରେ ନୁହଁ ଦୁର୍ବଳ

ଲକ୍ଷ୍ମଣ ଅନୁଜ ଦ୍ଵାପର ପୂର୍ବ ।୨।

 

ଦେ

ଦେବକୀ ସୁତ ଭ୍ରାତ ବାସୁଦେବ

ଦେବ କି ଦାସକୁ କରୁଣାନାବ

ଦେବଳ ସେବଳ ଭବଭୂଦେବ

ଦେବର୍ଷି ବନ୍ଦ୍ୟ ହେ ରେବତୀ-ଧବ ।୩।

 

ବଶବର୍ତ୍ତୀ ପଦାମ୍ଵୁଜେ ବାସବ

ବସନ୍ତ ବସନ ଧାରୀ କେଶବ

ବସନ୍ତି ପାଶରେ ଦେଖନ୍ତି ସର୍ବ

ବସି ଗୋକୁଳାନନ୍ଦ ନାମ ଘୋଷିବ ।୪।

 

୧. ବଳକ୍ଷ-ଶୁକ୍ଳ, ୨ . ଦେବଳ – ଦେଉଳ ସେବକ, ୩, ଭବଭୂଦେବ – ଦ୍ଵିଜ ( ପୂଜାପଣ୍ତା ) ।

 

ଚତୁର୍ଦ୍ଦଶ ଦେବୀ ନନ୍ଦନା

 

ଶ୍ରୀ ବିମଳା ଠାକୁରାଣୀ ଲୋ ଜନନୀ

କ୍ଷେତ୍ରବର ଭୁଆସୁଣୀ

ଜଣାଉଛି ଦାସ ଯୋଡ଼ିଣ ପାଣି ମା

ବଡ଼ବାଡ଼ ସାଆନ୍ତାଣୀ ।୧ ।

 

କୋଣାରକେ ରାମଚଣ୍ତୀ ଲୋ ଜନନୀ ,

ସିନ୍ଦୁରେ ହୋଇଛୁ ମଣ୍ତି

କଳାପହାଡ଼କୁ ଦୁଆରେ ବସାଇ

ଗଲୁ ପାଣି ପାଇଁ ଭଣ୍ତି ।୨।

 

ବାଲକୁଦେ ହରଚଣ୍ତୀ ଲୋ ଜନନୀ

ବସିଛୁ ମୁହାଣ ଉଣ୍ତି,

ବିପତ୍ତି କାଳରେ ତୋତେ ସୁମରିଲେ

ଦୂରିତ ଯାଏ ମା ଖଣ୍ତି ।୩।

 

ବାଣପୁରେ ଭଗବତୀ ଲୋ ଜନନୀ

ତୁହି ଅଗତିର ଗତି,

 

ଅମିନ ମାପିଲା ତୋର ସମ୍ପତ୍ତି ମା

ପଡ଼ିଲା ତାକୁ ବିପତ୍ତି ।୪।

 

ରଣପୁରେ ମଣିନାଗ ଲୋ ଜନନୀ

ବସିଛୁ ପର୍ବତ ଅଗ

ତୋହରି କୃପାରୁ ବନ୍ଧା ହୋଇଛି ମା

ନରେନ୍ଦ୍ରଙ୍କ ମୁଣ୍ତେ ପାଗ ।୫।

 

ଖୋରଧାରେ ବରୁଣାଇ ଲୋ ଜନନୀ

ପାଶେ ବିଜେ କରୁଣାଇ,

ନାଭିରୁ ଗଙ୍ଗା ମା ଯାଉଛି ବହି ଗୋ

ଚରଣ କମଳ ଧୋଇ ।୬।

 

ଯାଜପୁରରେ ବିରଜା ଲୋ ଜନନୀ

ଖାଉଛୁ ତୁ ବଳିଭୁଜା,

ପୋଢ଼ୁଅ ଦେଉଣ ଫିରିଙ୍ଗି ରଜା ମା

ତୋତେ କରୁଥିଲେ ପୂଜା ।୭।

 

ଝଙ୍କଡ଼ ଗଡ଼େ ଶାରଳା ଲୋ ଜନନୀ

ଚରଣେ ବାଜେଣି ବଳା,

 

ତୋହରି କୃପାରେ ବସି ସାରଳା ମା

ଭାରତ ରଚନା କଲା ।୮।

 

କାକଟପୁରେ ମଙ୍ଗଳା ଲୋ ଜନନୀ

ମୋ କଣ୍ଠରେ କର ଖେଳା

ଆକଟ କାଳରେ ସୁମରଣା କଲେ

ଉଦ୍ଧାରୁ ବୁଡ଼ିଲା ଭେଳା ।୯।

 

କଲିକତାରେ ତୁ କାଳୀ ଲୋ ଜନନୀ

ଖାଉଛୁ ହଜାରେ ବଳି,

ଭଗାରି ମୁହଁରେ ଲଗାଅ କାଳି ମା

ତୋ ପାଦରେ କରେ ଅଳି ।୧୦।

 

ଚିଲିକା ମଝିରେ ଥାଇ ଲୋ ଜନନୀ

ବୋଲାଉଛୁ କାଳିଜାଇ,

ବାଆ ବତାସରେ ନାଆ ବାହିଗଲେ

ନାଉରୀ ତୋ ନାମ ଧ୍ୟାୟି ।୧୧।

 

ସମ୍ଵଲପୁରରେ ଶମଲାଇ ମାଗୋ

ଜଗତ ଜନଙ୍କୁ ମୋହି,

 

କେତେ ବିପଦରୁ ଉଦ୍ଧରନ୍ତି ଜନେ

ଚରଣ କମଳ ଧ୍ୟାୟି ।୧୨।

 

ବାଙ୍କିଗଡ଼େ ଚର୍ଚ୍ଚିକାୟୀ ଲୋ ଜନନୀ

ମହାନଦୀ କୂଳେ ଥାଇ,

ବସିଛୁ ପନିକିଟାଏ ପକାଇ ମା

ଡାକିଣ ଶତ୍ରୁକୁ ଖାଇ ।୧୩।

 

ବନ୍ଦେ ଉଗ୍ରତାରା ପଦ ଲୋ ଜନନୀ

ଖଣ୍ତିବୁ ସର୍ବ ବିପଦ,

ଚରଣ କଞ୍ଜରେ ଶରଣ ପଶୁଛି,

କରଣ ଗୋକୁଳାନନ୍ଦ ।୧୪।

 

ଭାସ୍କର ସ୍ତବ

 

ଭାନୁ ଦିନବନ୍ଧୁ ମହୀ କରୁ ଶୋଭା

ଭାଗ ସହସ୍ରସଂଖ୍ୟକ ପ୍ରତିଭା

ଭାସି ଯାଉଅଛି ଭବ ପାରାବାରେ

ନ ଦେଖି ମୁଁ ତୁମ୍ଭ ସୁତର ସଭା ।୧।

 

ଭାମିନୀ ତୁମ୍ଭର ଛାୟା ସଂଜ୍ଞା ଦେବୀ

ରୂପକୁ ସମାନ ନୋହିବ ରମ୍ଭା

ଭାଜି ପଡ଼ୁ ମୋର ପାକ ପାଦାପ

ଜଣାଉଛି ଦାସ ହୋଇଣ ଉଭା ।୨।

 

ଭାବଗ୍ରାହୀ ଭାବ ଘେନିଣ ମୋହର

ଦୂର କର କର୍ମ, ଲିଖନ ଲିଭା,

ଭାଗ୍ୟହୀନ କବି ଗୋକୁଳାନନ୍ଦର

ପଦ୍ୟ ଆଦ୍ୟ ପ୍ରାନ୍ତେ ଅନୁପ୍ରାସ ‘ଭା’ ।୩।

 

ଏ କବିତାରେ ଆଦ୍ୟପ୍ରାନ୍ତ ‘ଭା’ ରହିଅଛି ।

୧. ପ୍ରତିଭା – କିରଣ, ୨. ତୁମ୍ଭ ସୁତ – ଯମ ।

 

ନୀଳାଦ୍ରି ବିହାରି ରଖ

(ତୁମ ପାଖ ଲୋକ ମୋର ଶତ୍ରୁ)

 

ନୀଳାଦ୍ରି ବିହାରି ରଖ, କଳା ଶ୍ରୀମୁଖ ହେ । (ଘୋଷା)

 

ତୁମ୍ଭ ପାଶେ କେହି କହିବାକୁ ନାହିଁ

ମୋହ ପାଇଁ ପଦେ ଦୁଃଖ

ନକ୍ରହନ୍ତା ଚକ୍ର ହୃଦ ଅଟେ ବକ୍ର

ଅରି ନାମଟି ପ୍ରତ୍ୟକ୍ଷ ।୧।

 

କଦାକାର ଗଦା ସଦା ଯୁଦ୍ଧବିଦ୍ୟା

କରିବାକୁ ମଣେ ସୁଖ

କୁଟିଳ ଉଦର ନାମ ଅଟେ ଦର

ନୀଳ କଣ୍ଠେ ଦିଏ ଡାକ ।୨।

 

ପଦ୍ମ ହୃଦେ ସଦ୍ମ କରିଅଛି ଛଦ୍ମ

କେଳି କରେ ବିଷମୁଖ

ଥାଅ ସେ ଶିଖରେ ଭଜେ ପ୍ରଭାକରେ

ପରେ ପ୍ରୀତି କରେ ଦେଖ ।୩।

 

ଗରୁଡ଼ ବିଷୟ ବିପତି ନାମକୁ

ବିପତ୍ତିକି ସେ କି ପକ୍ଷ

ଗରିବଙ୍କ ପର ଲକ୍ଷୀଙ୍କ ବିଚାର

ତାଙ୍କ କଥା କିଆଁ ଲେଖ ।୪।

 

ଗତିମୁକ୍ତି ଦେବାପାଇଁ ହେ ଶ୍ରୀପତି

ମହୀରେ କେ ତୁମ୍ଭ ଲକ୍ଷ୍ୟ,

ଗୋକୁଳାନନ୍ଦର ହର କାଳଦର

ନେଇ ବଇକୁଣ୍ଠେ ରଖ ।୫।

 

୧. ଦର- ଶଙ୍ଖ, ଭୟ, ୨. ସଦ୍ମ – ଘର, ୩. ବିଷମୁଖ – ସର୍ପ, ୪. ବିପତି – ପକ୍ଷୀରାଜ । କବିସୂର୍ଯ୍ୟଙ୍କ ପ୍ରସିଦ୍ଧ ‘ସର୍ପ’ ଜଣାଣ ଢାଞ୍ଚରେ ଭକ୍ତର ଭାବବିହ୍ଵଳ ଉକ୍ତି ।

 

ଜଗତନାଥ ଶ୍ୟାମବନ୍ଧୁ ହେ

(ଦାସକାଠିଆ ବୃତ୍ତ)

 

ଜଗତନାଥ ଶ୍ୟାମ, ପ୍ରଭୁ ଶ୍ୟାମସୁନ୍ଦର ହେ

ଦୁଃସହ ସଙ୍କଟୁ ମୋତେ ଉଦ୍ଧର । (ଘୋଷା)

 

ସତ୍ୟଯୁଗେ ମର୍ତ୍ତ୍ୟପୁରେ ଜାତ ହୋଇ

ବଳିଜନଙ୍କୁ ଦଳିଲ ପାଦର

ତ୍ରେତାଯୁଗେ ସୀତାପତି ପିତାସତ୍ୟ

ପାଳି ବଧ କଲ ଦଶକନ୍ଧର ।

 

ହେ ଦାମୋଦର, ହଳୀ ସୋଦର

ବାସ ତୁମର ସକଳ ହୃଦର ।୧ ।

ଗୋପରେ ଦ୍ଵାପରେ, ମାନବ ରୂପରେ

ଜାତ ଆର୍ତ୍ତତ୍ରାଣ ସୁତ ନନ୍ଦର,

 

ପିଟିଲ ଆଟିକା ଚାଟିଲ ଗୋଟିକା

ବ୍ରଜପୁରେ କଲ କେତେ ହୁନ୍ଦର ।

ହେ ଗୋପେଶ୍ଵର, ଦେବ ଇନ୍ଦ୍ରର

ଗର୍ବ ଖର୍ବ କଲ ଧରି ମନ୍ଦର ।୨।

 

କଳିଯୁଗେ ହରି ବୌଦ୍ଧ ରୂପଧରି

ବିଜେ କରିଛ ଶ୍ରୀ ନୀଳକନ୍ଦର

ତାରୁଛ ତପୀଙ୍କି, ମାରୁଛ ପାପୀଙ୍କି

ଧର୍ମାଧର୍ମ ଗଣି ନେତ୍ର ରନ୍ଧ୍ରର

 

ହେ ପୀତାମ୍ଵର ବ୍ରଜସୁନ୍ଦର,

ଦ୍ଵନ୍ଦ୍ଵାତୀତ ହେ ପୁଣ୍ୟଧୁରନ୍ଧର ।୩।

ମନବାଞ୍ଛା ପୂର୍ଣ୍ଣ କର ଦୀନବନ୍ଧୁ,

ବିନତିକି ଘେନ କରି ଆଦର

 

ପୟୋଜ ପୟରେ ଲୟ ଲଗାଉଛି

କ୍ଷୟ କର ହରି ମୋହର ଦର ।

ରଖି କଦର ମୁରଲୀଧର

ରଚନା ଗୀତ ଗୋକୁଳାନନ୍ଦର ।୪।

 

ଦୈତ୍ୟାରୀ ହେ

 

ଦୈତ୍ୟାରୀ ହେ କହ ସତ କି ମିଛ

ନେଇଅଛ ଯାହା ଦେଇଅଛ ତାହା

ଏଥିପଇଁ ମହାଦାତା ହୋଇଛ । (ଘୋଷା)

 

କେଳି କଲାବେଳେ ସେ ଗୋପୀ

ହଳିପ୍ରିୟ ମୂଳରେ ଛପି

ଭଳି ଭଳି ବସ୍ତ୍ର ନେଇ ନ ଥିଲ କି

ବାଳୀଙ୍କି ଅବା କି ଦାନ ଦେଇଛ ? ।୧।

 

କଳି କରି ଶୁକ୍ରଙ୍କ ସଙ୍ଗେ

ଦଳି ବଳି ବଳକୁ ବେଗେ

କଳିତ ନୁହଁଇ ଯେତେ ଭୂତି ଥିଲା

ଦେଇ ସୁଦାମାକୁ ଧନୀ କରିଛ।୨।

 

ଉଗ୍ର କଂସ ବଂଶକୁ ଧ୍ଵଂସ

ଉଗ୍ରମିତ ବିତ୍ତ ସଦୃଶ

 

ଉଗ୍ରସେନେ ଯେଉଁ ଧନ ଦାନ କଲ

କି ଗଣ୍ଠି ପାଣ୍ଠିକି ବାଣ୍ଟି ଦେଇଛ ।୩।

 

ଗୀତ କହେ ଗୋକୁଳାନନ୍ଦ

ଭଜି ହୃଦେ ପରମାନନ୍ଦ

ଧରଣୀତଳେ ତରଣୀ ସୁତ ଭୀତି

ନାଶିବାକୁ ଥିଲେ ତୁମ୍ଭ କଚ୍ଛ ।୪

 

୧--ହଳିପ୍ରିୟ-କଦମ୍ବ,୨.ଭୁତି-ସମ୍ପତ୍ତି,୩.ଉଗ୍ରମିତ-କୁବେର,ତରଣୀ-ସୁତ-ଯମ,-୫.କଚ୍ଛ-ସମାନ--ଏହି କବିତା ଯଦୁମଣୀଙ୍କର ସୁବିଖ୍ୟାତ ‘ଦେଲ ଯାହା ନେଲ ତାହା’ କବିତାର ଅବଲମ୍ବନରେ ରଚିତ--ଏତଦ୍‌ ବ୍ୟତୀତ କବିସୂର୍ଯ୍ୟଙ୍କ ନାମରେ ଅବିକଳ ଏହି ଭାବର କବିତା ନିକଟରେ ପ୍ରକାଶ ପାଇଛି ।

 

ମଙ୍ଗଳା ସ୍ତବ

 

ମଙ୍ଗଳା ଜଗଦମ୍ବା ନଗନନ୍ଦିନୀ

ଭଗବତୀ ଭର୍ଗ ବାମା ଜଗତବନ୍ଦିନୀ । (ଘୋଷା)

 

ଜଙ୍ଗଲେ ବାସ ଜନନୀ ସଙ୍ଗରେ ଥାନ୍ତି ଯୋଗିନୀ

ରଙ୍ଗ ଶ୍ରୀପୟର ଅଙ୍ଗ ସୁରୁଚିର

ଶାର୍ଙ୍ଗୀ ହରିହର ହରବର ତୋ ଘେନି ।୧।

 

ଖର୍ଗସ୍ଥୁଳତନୁମାତା ସର୍ବ ଭାଗରେ ଶତ୍ରୁତା

ପର୍ବରେ ତୋ ପ୍ରୀତୀ ପର୍ବତର ପୁତ୍ରୀ

ସର୍ବଜାୟା ଗର୍ବହର୍ତ୍ରୀ କ୍ଳେଶନାଶିନୀ ।୨।

 

ଶରଦଚଦ୍ର ବଦନୀ ସରଳା ଉମାଶର୍ବାଣୀ

ସରସିଜ ଜିଣି ଶରୀରର ଠାଣି

ଶରଣ ରଖ ଗୋକୁଳାନନ୍ଦ ଦଇନି ।୩।

 

୧. ଭର୍ଗ - ଶବ,୨.ସର୍ବ-ଶିବ,୩.ଶାର୍ଙ୍ଗୀ-ଶାର୍ଙ୍ଗଧନ୍ଵା (ବିଷ୍ଣୁ),୪.ସରସିଜ-ପଦ୍ମ ।

 

ମାହେଶ୍ଵରୀ ଗୋ ଶିବବାମା

 

ମାହେଶ୍ଵରି ଗୋ ଶିବବାମା

ମାରିଲୁ ଯେତେ ଅସୁର, ମାରିଲୁ ଯେତେ ଅସୁର

କେ କଳି ପାରେ ତା ସୀମା (ଘୋଷା)

 

ମାରୀଚାରି ସ୍ମରି ତୋତେ, ମାରି ଚାରି-ପାଞ୍ଚହାତେ

ମାଙ୍କଡ଼ ଭାଲୁଙ୍କୁ କରି ଜମା

ମାର୍କଣ୍ଡେୟ ନ ଜାଣନ୍ତି ତୋର ମହିମା

ମାଛ କାଛ କାଚ ଦେବି ଅପରାଧ କର କ୍ଷମା ।୧।

 

ମାନବଙ୍କ ମଧ୍ୟେ ହୀନ, ମାଣବକ ପରି ଜ୍ଞାନ

ଫଇସଲା କର ମକଦ୍ଦମା

ମାନସେ ଭାଷେ ପଶୁପତ-ପ୍ରିୟତମା

ମାତ ତୁହି ହୈମବତୀ, ଗିରିଜା ଭବାନୀ ଉମା ।୨।

 

ମାତ ତୋର ନାମ ଥରେ ,କାତରେ ସ୍ମରି ଅମରେ

ସତ୍ୟରେ ମହିଷମର୍ଦ୍ଧିନି ମା

ମାର୍ଜନା କର ଦାସର ପାପ-କାଳିମା

ମାନ ଜ୍ଞାନ ଦେଇ ବୃଦ୍ଧି କର ଭକତ-ଗରିମା ।୩।

 

ମାନିନି ତୋ ଶ୍ରେଷ୍ଠମୂର୍ତ୍ତି ସମ୍ପର୍କ ଲଭି ଝଟତି

ବ୍ରହ୍ମାସୃଜିଲା ବ୍ରହ୍ମାଣ୍ଡ ଭୂମା

ମାରି ଅରି ଜାୟା ତୋ ରୂପ ନିରୁପମା

ମାଗୁଛି ଗୋକୁଳାନନ୍ଦ କର ଯୋଡ଼ି ବର ଦେ ମା ।୪।

 

୧. ମାରିଚାରୀ –ମାରୀଚର ଅରି ରାମଚନ୍ଦ୍ର, ୨. ମାରି ଚାରି ପାଞ୍ଚହାତେ – ଚାରି ପାଞ୍ଚହାତେ ଅର୍ଥାତ କୋଡ଼ି, ଏ ହାତ ରାବଣକୁ ମାରି ,୩. ମାଣବକ -ପିଲା ବ୍ରହ୍ମଚାରୀ ।

 

ଶାରଦା ବନ୍ଦନା

 

ଶାରଦା ପଦେ ହୃଦୟେ ଦରଶା,

ସାର ଜଣେ ମାତ ଅଟୁ ଏ ରସା ।୧।

 

ସାରସ ଚରଣ ବଡ଼ ସରସା,

ସାର ଭଗବତୀ ତୁ ମୋ ଭରସା ।୨।

 

ସାରସ୍ଵତ ଗୀତ ରସା ବରଷା,

ସାର ବଇରୀଙ୍କି କର ନୀରସା ।୩।

 

ଶାରଙ୍ଗଧର ବାଞ୍ଛନ୍ତି ପରଶା,

ସାହସ ମୋ ମନେ ଆସୁ ସହସା ।୪।

 

ଶାବକ ମୁଁ ହେଲି ଦୁଃଖ ବିବଶା,

ସାବଧାନେ ଗୀତ ଗଳାରେ ବସା ।୫।

 

ସାଦରେ ମେଣ୍ଟିଣ କର ମୋ ଦଶା,

ସାହା ହୁଅ ଉଡ଼ି ଯାଉଛି ହଂସା ।୬।

 

ସା ଆଦ୍ୟନ୍ତେ ଅନୁପ୍ରାସରେ ଆଶା

ସାରିଲା ଗୋକୁଳ ବର୍ଜିଣ ରିଷା ।୭।

 

ସୁଚନା

ଏ ଗୀତରେ ପ୍ରଥମ ଅକ୍ଷର ଦୁଇ ଯାହା, ଧାଡ଼ିର ଶେଷ ଆଡ଼କୁ ବାମ ପଟରୁ ପଢ଼ି ଆଣିଲେ,

ଶେଷ ଓ ତାର ପୂର୍ବବର୍ତ୍ତୀ ଅକ୍ଷର ସେଇଆ ହେବ ।

 

ପାବଟୀକା-- ବ୍ୟାଘ୍ରଗତି - ବାଘ ଚାଲିବା ଠାଣିରେ ବର୍ଣ୍ଣବିନ୍ୟାସ ସିଂହ ଆଗକୁ ଗଲାକାଳେ ପଛରୁ ଶତ୍ରୁ ଆସୁଥିବ । ଏଥିପଇଁ ସେ ପଛକୁ ଚାହେଁ ଓ ଆଗକୁ ଯାଏ । ଏଥିରୁ ବାହାରିଛି ସିଂହାବଲୋକନ ଶୃଙ୍ଖଳାରେ କୌଶଳ । ତତ୍‌ବିଦ ମାନେ କହନ୍ତି ବାଘ ଚାଲିଲା ବେଳେ ବାମକୁ ଓ ଡାହାଣକୁ ଚାହିଁବ ଓ ତାପରେ ପାଦ ପକାଇବ । ତେଣୁ ଯେଉଁଠରେ କେତୋଟି ନର୍ଦ୍ଧିଷ୍ଟ ଅକ୍ଷର ମିଶି ପ୍ରଯୁକ୍ତ ହୁଏ ଏବଂ ଦି ଥର ରହେ,ସେଠାରେ ବ୍ୟାଘ୍ରଗତିନାମକ ଶବ୍ଦଚିତ୍ର ହୋଇଥାଏ । ବୈଦେହୀଶ ବିଳାଶର ୧୯ ଶ ଛାନ୍ଦର ୧୦ ମ ପଦରେ ବ୍ୟାଘ୍ରଗତିର ପ୍ରୟୋଗ ରହିଛି । ଏ ଏକ ବର୍ଣ୍ଣବିନ୍ୟାସ କୌଶଳ ।

 

ଅମ୍ବିକା ବନ୍ଦନା

(ଦାସ କାଠିଆ ବୃତ୍ତ)

 

ମାତ ଅମ୍ବିକା ଦେବୀ ଘେନ ବିନତି,

ଅରକ୍ଷିତ ଜନ ମୁହିଁ କରୁଛି ସ୍ତୁତି,

ଅରିଷ୍ଟକୁ ନଷ୍ଟ କରିବୁ ଗୋ ଦୁଷ୍ଟ

ନାଶିନୀ ମୋ କଷ୍ଟ ପ୍ରବଳ ଅତି ।୧।

 

ଅରଣ୍ୟେ ବନେ ବିପଦେ ସାହା ହେବୁ,

ଘେନିଣ ଦାସର ଅଳ୍ପ ଭକତି ।

ଜଣାଏ ତୋ କତି ଦେବୁ ଗୋ ମୁକତି

ବାରେ କୃପା କର ଆଦି ଶକତି ।୨।

 

ଅନେକ ନାମ ତୋ ଅଟଇ ଲୋ ମାତ

ବିମଳା,ଶାରଳା,ଚଣ୍ଡୀ,ପାର୍ବତୀ

ଅପର୍ଣ୍ଣା,ମଙ୍ଗଳା,ବିରଜା,ଶୀତଳା

ଚର୍ଚ୍ଚିକା,ଉଗ୍ରତାରା,ଭଗବତୀ ।୩।

 

ମା ଗ୍ରାମଦେବତି ଦେବୁ ତୁ ମୁକତି

ବୃକ୍ଷମୂଳେ ଦେବାଳୟେ ବସତି,

ଅନ୍ୟ ମୋର ଗତି ନାହିଁ କେ ଜଗତୀ

ଆଗେ ଗଜଗତି ବିଚାର ମତି ।୪।

 

ଅସୁରନାଶିନୀ ଗୋ ଅଝଟ ହାସାନୀ

ଅଯୋନିସମ୍ଭୂତା ଗୋ ହୈମବତୀ

ଧୂପ ପୁଷ୍ପ ଦେଇ ଭାବେ ମୁଁ ନିତି

ବିନାଶ ଗୋକୁଳାନନ୍ଦ ବିପତ୍ତି ।୫।

 

ଭବାନୀ ଭଗବତୀ

(ଦାସକାଠିଆ ବୃତ୍ତ)

 

ଭବାନୀ ମାତ ଗୋ ଭଗବତି ଲୋ

ଭାବନା କରୁଛି ତୋ ନାମ ନିତି । (ଘୋଷା)

 

ଭିକ୍ଷା ତୋ ନିକଟ ଭୀତିକି ମୋ କାଟ

ଭୁବନ-ଇଶ୍ଵରି ଦିଅ ସଦଗତି

ଭୂତପତି ବାମା ଭେଳା ଦିଅ ଦିନା

ଭୈରବି ! ତୋ ବିନା ନାହିଁ ମୋ ଗତି

 

ଭୋକିଲା ଅତି, ଭୌମ ଝଟିତି

ଭଞ୍ଜନ କର ଭଗାରି ଶକତି ।୧।

ଗଣେଶ ତୋ ସୁତ ଗାତ୍ର ସୁ – ପବିତ୍ର

ଗିରିଜା ଗିରୀଶ - ମୋହିନୀ –ମୂର୍ତ୍ତି

 

ଗୁମାନ ନ ସହୁ ଗୁଣେ ଶୋଭା ପାଉ

ଗେଣ୍ଡୁ ପୁଷ୍ପକାନ୍ତି ଗୈରିକ ଧାତ୍ରୀ ।

 

ଆଗୋ ହୈମବତି, ଗଉରି ପାର୍ବତି

ଗଞ୍ଜନ କରୁଛୁ ଗରବ ଅତି ଗୋ ।୨।

 

ବଡ଼ ମନୋରମା ବାମଦେବ ବାମା

ବିଶ୍ଵାଏ ବିରତ୍ୱେ ସମ କେ କ୍ଷିତି ।

ବୁଦ୍ଧି କର ଦୀନ ବୁଧେ ହେବି ଗଣ୍ୟ

ବେଗେ ଚିନ୍ତା କରୁ ବିଦେହ ପତ

 

ବୋଧିଲୁ ସତୀ ବୌଦ୍ଧ ନିନ୍ଦନ୍ତି

ବଂଶୀଧରେ ଦେଲୁ ବହୁତ ଶାସ୍ତି ମା ।୩।

ତିନିନେତ୍ର ପ୍ରିୟା ତିଳେ କର ଦୟା

ତିରୋହିତ୧୦ ହେଉ ମୋର ବିପତ୍ତି

 

ତିନିବିଲୋମ୧୧ ରେ ତୀବ୍ର ଯନ୍ତ୍ରଣାରେ

ତିର୍ଯ୍ୟକନେତ୍ରି ତିଥି ମୋ ନାସ୍ତି

ତୀକ୍ଷ୍‌ଣ ଦୃଷ୍ଟି ଗୋକୁଳାନନ୍ଦ ପ୍ରତି ।୪।

 

୧.ଭୂତପତି – ଶିବ,୨. ଭୌମ –ମଙ୍ଗଳ,୩.ବାମଦେବ –ଶିବ, ୪.ବାମା –ପତ୍ନୀ (ପାର୍ବତୀ),୫. ବିଶ୍ଵାଏ –ଟିକିଏ,୬.ସମକେ –କେହି ସମାନ ନୁହେଁ,୭.ବିଦେହ ପତି- ବିଗତ ଦେହ ଯାହାର ସେ ବିଦେହ ବା କନ୍ଦର୍ପ । ନିଜର ତୃତୀୟ ନୟନରେ ବା ଅଗ୍ନିନେତ୍ରରେ ଶିବ କନ୍ଦର୍ପର ଦେହକୁ ଜାଳି ଦେଇଥିଲେ । ପତି-ଅଧିପତି ବା ପ୍ରଭୁ । ଅଧିକ କ୍ଷମତାଶାଳୀ । ଅଧିକ ଶକ୍ତି ହେତୁ ସେ କନ୍ଦର୍ପର ଶରୀର ଧ୍ଵଂସ କରିଦେଇଥଲେ, ୮.ବଶୀଂଧରେ-କୃଷ୍ଣଙ୍କୁ, ୯.ତିନିନେତ୍ରପ୍ରିୟା- ଶିବଙ୍କର ପ୍ରିୟା,୧୦. ତିରୋହିତ-ଦୂରୀଭୂତ, ୧୧.ବିଲୋମ-ଲେଉଟାଇବା ।

 

କାଳି ବନ୍ଦନା

 

ମାତ କାଳି ! ହାତ ଯୋଡ଼ି କରୁଅଛି ଅଳି ।(ଘୋଷା)

 

ନାଶିଅଛୁ କେତେ ବଳୀ

ତୋତେ ଅଛି କିଏ ବଳି

ଖାଉଅଛୁ କେତେ ବଳି

ପଣ୍ଡା , ମେଣ୍ଢା ଛେଳି

 

ଗ୍ରାମେ ଗ୍ରାମେ କରୁ କେଳି

ନାମ ବହୁ ଭଳି ଭଳି

ସେବା କରୁଥାଏ ମାଳୀ

ଦିଏ ପୋଡ଼ା ଜଳି ।୧।

 

ଗଳାରେ ତୋ ମୁଣ୍ଡମାଳୀ

ଦୃଷ୍ଟଜନ ଅଛୁ ଦଳି

ଶତ୍ରୁ ମୁଖେ ଲଗା କାଳି

ତୋର ଧବ ଶୂଳୀ

 

ଆଶ୍ଵିନରେ ପର୍ବ ପାଳି

ଭୋଗ ହୁଏ ଭଳି ଭଳି

ଯୋଗ୍ନୀଗଣ ତୋର ଆଳୀ

ପଶୁ-ପତି ବାଳୀ ।୨।

 

ମାରିଥିଲେ ଯେହୁ ବାଳୀ

ଦେଇଥିଲେ ଚକ୍ଷୁ ଖୋଳି

ପାଇ ତୋ ଚରଣ ଧୂଳୀ

ରିପୁ କୁଳ ଦଳି

 

ଏତ ଅଟେ ଯୁଗ କଳି

କିଏ ପାରେ ତୋତେ ବଳି

ମୋ ସଙ୍ଗେ ଯେ କରେ କଳି

ତାକୁ ଦିଅ ଶୂଳି ।୩।

 

ଗୋପେ ଥରେ ବିକି କୋଳି

ଚାପିଥିଲେ ଯେହୁ ବଳି

କାବା କଲୁ ବନମାଳୀ

ପତିକଥା ଛଳି,

 

ରସନା ଦେଲେ ତୋ ଚାଳି

ଜଗତକୁ ପାରୁ ଟାଳି

ମାତାରୂପେ ପ୍ରତି ପାଳି

ଯୋଗ୍ନୀରୂପେ ଗିଳି ।୪।

 

ଚୁଆ ସିନ୍ଦୁରକୁ ଗୋଳି

ଦେହରେ ହଳଦୀ ବୋଳି

ମସ୍ତକରେ ଜଳ ଢାଳି

ଗାଧୁଆଏ ମାଳି

 

ରହୁ ତୋ ଚରଣେ ମୌଳି

ବିପଦରୁ ଧର ତୋଳି

ଗୋକୁଳାନନ୍ଦ ଯେ ଭାଳି

ଏହି ପଦ୍ୟାବଳି ।୫।

 

ସୂଚନା- ଏ ଗୀତରେ ଜଣେ ଭକ୍ତ ଭାବରେ ଏବଂ ମା କାଳୀଙ୍କର ଏକାନ୍ତ ଗୁଣଗ୍ରାହକ ଭାବରେ ରସ-ବିନୋଦିଆ ହୋଇ କବି ଯଦୁ ମଣିଙ୍କ ପରି ଭାବ ପ୍ରକାଶ କରିଛନ୍ତି । ଯଦୁମଣିଙ୍କ ପ୍ରସିଦ୍ଧ ଗୀତ “ଦେଲ ଯାହା ନେଲ ତାହା” – ହୁଏତ କବିଙ୍କୁ ଉଦ୍‌ବୋଧିତ କରିଥିବ ।

 

ପଙ୍କଜମୁଖ ଦୁଃଖ ହର ହେ

(ଯୁକ୍ତାକ୍ଷର ଙ୍କ ଠାରୁ ମ୍ଭ ପର୍ଯ୍ୟନ୍ତ ବଣ୍ଣନାଯୁକ୍ତ କ୍ରମାନ୍ଵୟ)

 

ପଙ୍କଜ ମୁଖ ଦୁଃଖ ହର ହେ ଶଙ୍ଖଧର

ଅଙ୍ଗନା ହୋଇଲା ଶିଳା ଲାଗନ୍ତେ ରେଣୁ ଅଂଘ୍ରିର । (ଘୋଷା)

 

ଳଙ୍ଘନ କଲା କଳ୍ମଷ ହେଲା ସ୍ୱର୍ଣ୍ଣକ୍ଷିତିଈଶି

ଦନୁଜ ଅନୁଜ ଲଙ୍କେଶ୍ଵର

ମଞ୍ଚପୁରେ ବିବିଧ ରୂପେ ଅବତାର

ଲାଞ୍ଛନା ପାଇ ବେଦିରୁ ଗଲା ଚେଦୀଶ କୁମର ।୧।

 

ଅଞ୍ଜଳି କୋରକ କରି ଚିନ୍ତିଲା ଦ୍ରୌପଦୀ ନାରୀ

ବିବସନା କରୁ ଦୁଃଶାବୀର,

ଝିଞ୍ଝଟ ତୁଟାଇଥିଲ ପାଣ୍ଡବଙ୍କର

ଖଣ୍ଟ ବନୌକା ହୋଇଲା ନାମ ସ୍ମରି ହୃଦୟର ।୨।

 

ଲୁଣ୍ଠନ କରିଲା ଶ୍ରୁତି ଦରନାମେ ଇନ୍ଦ୍ରାରାତି

ଦଣ୍ଡେ ଷଣ୍ଢାରାତି କଲ ଅନ୍ତର

 

ମନ୍ଥନ କରିଛ ହରି ସାଗର ନୀର ।

ମନ୍ଦର କରେ ଧରିଲ ବିବାଦ କାଳେ ଇନ୍ଦ୍ରର ।୩।

 

ଅନ୍ଧକୁ ଚକ୍ଷୁ ଦେଇଛ, ତା ପାଦେ ହୃଦେ ବହିଛ

ଭକତ ବତ୍ସଳ ଦାମୋଦର

ଲମ୍ପଟ ଗୋପ ଆଭୀରୀ ବସନ ଚୋର

ବାମ୍ଫ ଇକାର ଯୋଗରେ କୃକଳାସର ଉଦ୍ଧାର ।୪।

 

ଶମ୍ବରପର ଜନକ ଶୁକ ଜନକ ସନକ

କୌଶିକ ବନ୍ଦନ୍ତି ଯେ ପୟର

ଚିନ୍ତି ନାରାୟଣ ପଦାମ୍ଭୋଜ କୋୟର

ଶରଣ ପଶେ ଅଜ୍ଞାନ ଗୋକୁଳାନନ୍ଦ ଯେ ଛାର ।୫।

 

୧. ପଙ୍କଜ ମୁଖ –ପଦ୍ମମୁଖ ।ଅଂଘ୍ରି- ପାଦ,୨. ଚେଦୀଶ କୁମର –ଶିଶୁପାଳ, ୩. ଷଣ୍ଢ-ମୃଗ, ୪.କରୁ-କରନ୍ତେ, ୫.ବନୌକା - ବନରେ, ଓକ (ଘର) ଯାହାର ,ମୁନିଋଷି, ୬. ଈନ୍ଦ୍ରାରାତି – ଇନ୍ଦ୍ର+ଅରାତି – ଈନ୍ଦ୍ରଙ୍କ ଶତ୍ରୁ ୭. ଆଭୀରୀ –ଗୋପାଳ ପଲ୍ଳୀରେ ବାସ କରୁଥିବା ନାରୀ, ୮.କୃକଳାସ – ପୋହଳା ଏଣ୍ଡୁଅ, ୯.ଶମ୍ବରପର – ଶମ୍ବରାସୁରର ଶତ୍ରୁ –କନ୍ଦର୍ପ ।

 

ଜୟ ପଙ୍କଜ ମୁଖ

(କବି ସୂର୍ଯ୍ୟଙ୍କ ସର୍ପ ଜଣାଣ ଅନୁକୃତିରେ)

 

ଜୟ ପଙ୍କଜ ମୁଖ କହିବା ପାଇଁ ଦୁଃଖ

ହେଉଛି ଯେବେ ମୋର ମନ

ତୁମର ନାମଚୟ ଶୁଣି ମୋର ହୃଦୟ

ଭାବୁଛି କହିବି କେସନ, ହେ ଦୟାନିଧି

 

କହିବି ଯେବେ ଦୟା କର, ଏ ଭ୍ରମ ନୁହେଁ କି ମୋହର,

କୁହନ୍ତି ମୁଁ ଅନାଥ, ତୁମ୍ଭେ ତ ଜଗନ୍ନାଥ

ସୁମନ ବନ୍ଦନ ଶ୍ରୀଧର ।୧।

ଯଦି କହିବି ଦୀନ ତବ ଗୌରବ ହୀନ

 

ହେବ ନାହିଁକି ଦୀନବନ୍ଧୁ

ମାଗନ୍ତେ କିଛି ଅନ୍ନ ଶିଣିଛି ଜନାର୍ଦ୍ଦନ

ତାମସ କରାଇଲେ ଇନ୍ଦୁ, ହେ ହୃଷିକେଶ

ମନର କଥା କି କହିବି, ଯଦି ବା ମୁକତି ମାଗିବି

 

ହେ କମଳା ନାୟକ ଚତୁର୍ବର୍ଗ ଦାୟକ

ନାମକୁ କାହିଁ ଛପାଇବି ।୨।

ତବ ରଙ୍ଗାଚରଣ ଯୁଗଳେ ମୁଁ ଶରଣ

ନେବାକୁ ବିଚାରି ଦେଖିଲି

 

ଚରାଚର ଶରଣ ଚାପାଦି ଚିହ୍ନ ବର୍ଣ୍ଣ

ଦେଖି ମୁଁ କାତର ଲଭିଲି, ହେ ଜଗଦୀଶ

ଭାବିଲି ଏ ପାବନପଦ, କହିବି କରି ମୁଁ ସମ୍ପଦ

ବିହଙ୍ଗ ଚକ୍ରବର୍ତ୍ତୀ ଦର୍ପକୁ ସର୍ପ ଗତି

 

ଡରିଲି ଦେଖି କି ବିପଦ ।୩।

କରେ ଉଦ୍ଧରି ଧର ବୋଲନ୍ତି ଅହିବର

ଗଦାପଦ୍ମରେ ବିଦ୍ୟମାନ

ହରି ତବ ସରବ ପବିତ୍ର ଅବୟବ

 

ମଧ୍ୟରେ ନାହିଁ ମୋର ଠାବ, ହେ ନୀଳାଦ୍ରୀଶ

ମିତ୍ରତା ବାନ୍ଧିବି ଭାବିଲି ତ୍ରିଦେବ ଶୁଣି ନିବର୍ତ୍ତିଲି

କହେ ଗୋକୁଳାନନ୍ଦ, ହେ ନୀଳାଚଳ ଚନ୍ଦ୍ର

ନିରାଶ ହୋଇ ମୁଁ ଫେରିଲି ।୪।

 

ହରିଚରଣ ଉଚ୍ଚ ମନ ପାମର

 

ହରିଚରଣ ଭଜ ମନ ପାମର

ସରିଯାଉଛି ଦିନୁଦିନ ଉମର । (ଘୋଷ)

 

କରିଥିଲେ ଉପକାର, କରୀର ଯେଉଁ ଠାକୁର

ବାରିଧିରେ ବାରି ଧୀରେ ସମର ।୧।

 

ତରିବାକୁ ଭବନଦୀ, ତରୀତୁ ପାଇବୁ ଯଦି

ଫେରିଆସ ବୃନ୍ଦାବନ ଧାମର ।୨।

 

ହରିଣୀ ଡାକିଲା ବେଳେ,ହରିଲେ ଯେ କ୍ଲେଶ ହେଳେ

ଶବ ଶବର ଶରୀର ବାମର ।୩।

 

ଗରିବ ଗୋକୁଳାନନ୍ଦ,ମରିବାବେଳେ ଗୋବିନ୍ଦ

ସ୍ମରିବ ହରିବ ଦର ଯମର।୪।

 

ଭଗବତ୍‌ ପାଦପଦ୍ମ ବର୍ଣ୍ଣନ

 

ନରାୟଣ ଚରଣ ଗୁଣ ହେ ଜନେ ଶୁଣ

ପତିତ ଜନେ ପବିତ୍ର କରିବାରେ ସୁନିପଣ (ଘୋଷା)

 

ଯତିନେତ୍ର ବୀତିହୋତ୍ର ନିର୍ବାପନେ ଭଗୀରଥ

ଚତୁରଶୀତି କାଠି ପ୍ରମାଣ

ସ୍ଵର୍ଣ୍ଣଦୀକୁ ମର୍ତ୍ତ୍ୟେ କରାଇ ଅବତୀର୍ଣ୍ଣ

ସ୍ମରହର ଗରଦର ଖରତର ଧରଷଣ ।୧।

 

ବିଲୋଚନ ସୁତ ଦତ୍ତ ବିତ୍ତ କଲା ଅପ୍ରମିତ

ଭୀତ ହେଲେ ତ୍ରିଦିବେ ଗୀର୍ବାଣ

ଉତପତ୍ତି କରିପାଦେ ନାଭିରୁ ପୁଣ

ପାତାଳକୁ ଚାପିଦେଲେ କବିଙ୍କୁ କରିଲେ ଖୁଣ ।୨।

 

ଗଉତମ ଉତ୍ତମାଙ୍ଗୀ ଗୋତ୍ର ବୃତ୍ର ଶତ୍ରୁ ଲାଗି

ପଥରେ ହୋଇଥିଲେ ପାଷାଣ

ମିତ୍ରବଂଶ୧୦ ପୁତ୍ର ରାମ ସୁବିଚକ୍ଷଣ

ହତ କଲେ ସେ ପାତକ କାନ୍ତଶାପରୁ ମୋକ୍ଷଣ।୩।

 

କାଳିନ୍ଦୀ ସଲିଳେ କାଳି ଦଳିଥିଲେ ବନମାଳୀ

କେଳିକରି ତୋଳିଲେ ନଳିନ

ମରଣ କାଳରେ ହେବା ପାଇଁ ସ୍ମରଣ

ଶରଣ ପଦେ ଅଜ୍ଞାନ ଗୋକୁଳାନନ୍ଦ କରଣ ।୪।

 

୧.ଦୀତିହୋତ୍ର-ଅଗ୍ନୀ,୨.ଚତୁରଶୀତି କାଠି-ଚଉରାଶୀକାଠି,୩. ସ୍ଵର୍ଣ୍ଣଦୀ- ଗଙ୍ଗା,୪.ବିଲୋଚନ-ସୁତ- ବଳୀ,୫.ତ୍ରିଦିବ-ସ୍ଵର୍ଗ,୬.ଗୀର୍ବାଣ-ଦେବତା,୭.କବି-ଶୁକ୍ର,୮.ଉତ୍ତମାଙ୍ଗୀ-(ଉତ୍ତମ ଅଙ୍ଗୀ) ଅହଲ୍ୟା (ଗୌତମ ଋଷିଙ୍କ ପତ୍ନୀ),୯.ବୃତ୍ତଶତ୍ରୁ,୧୦.ମିତ୍ରବଂଶ-ସୂର୍ଯ୍ୟବଂଶ ।

 

କହ୍ନାଇ ବଡ଼ ତଣ୍ଟି କଟାଟି

 

କହ୍ନାଇ ବଡ଼ ତଣ୍ଟିକଟାଟି

କଣ୍ଟ କରି ଖଣ୍ଟପଣ ଖଳ କଲା

ଗଲା କାହା ଘରେ ନନ୍ଦ-ବେଟାଟି । (ଘୋଷା)

 

ଚତୁରି ଦେଖିଲେ ଚାତୁରୀ କରଇ

ଛୋପରା ହୋଇ ଅଘଟଘଟାଟି,

ଜଳପାଇଁ ଗଲେ ଯମୁନା ନଦୀକି

ଝଟକରି ଘେନିଯାଏ ଲୋଟାଟି ।୧।

 

ନୟନ କୋଣରେ ଟେରେଇ ଚାହିଁଲେ

ଠଉରିବ କିଏ ଦେଖି ଛଟାଟି

ଡାଳ ଖୋସି ମୁଣ୍ଡେ ଢଳି ଢଳି ଚାଲେ

ଅଟ୍ଟାଳିକା ଚାହିଁ ଭାଙ୍ଗି ଅଣ୍ଟାଟି ।୨।

 

ତା ଯୋଗେ ଥରକୁଥର ଦାଣ୍ଡେ ହାଟେ

ଧରପଗଡ଼ ମୋହର ପଟାଟି

ନାବିକ ରୂପରେ ନାବ ବାହୁଥିଲା

ନବଘନ ଦିନେ ପିନ୍ଧି ଫେଟାଟି ।୩।

 

ବଣିଆ ଗୁଣିଆ ଭୂତ ହୋଇଥିଲା

ମହିଳା-ମୋହନା ମନ ମୋଟାଟି

ଯମୁନା କୂଳରେ ରହସ୍ୟ କରିଲା

ରହି ରମଣୀର ଲୁଗାଲୁଟାଟି ।୪।

 

ବଢ଼ିଆ ହେଲାଣି ଶିଖଣ୍ଡ ଚୂଳିଆ

ଷଣ୍ଢମରା ସରକ୍ଷୀର-ଚଟାଟି

ହରଣ କରିବ କ୍ଷଉଣୀଜାଧବ

ଗୋକୁଳାନନ୍ଦର ହଟହଟାଟି ।୫।

 

୧.କ୍ଷୌଣୀ-ପୃଥିବି । କ୍ଷୌଣୀଜା (କ୍ଷଉଣୀରୁ ଜାତ) –ସୀତା କ୍ଷୌଣୀଜାଧବ-ସୀତାଙ୍କର ଧବ (ସ୍ଵାମୀ) ରାମଚନ୍ଦ୍ର ।

 

ଦକ୍ଷୀଣଭୁଜ ଶ୍ୟାମବନ୍ଧୁର ହେ

 

ଦକ୍ଷିଣଭୁଜ ଶ୍ୟାମବନ୍ଧୁର ହେ,

ମୁଖ୍ୟକାର୍ଯ୍ୟ ଶୁଣ ଗୁଣଜ୍ଞ ନର ହେ (ଘୋଷା)

 

ବିଦେହ ନଗ୍ରରେ ଉଗ୍ରସରାଶନ

ବ୍ୟଗ୍ରରେ ଆଣିଲେ ପୁଷ୍ପ ପ୍ରକାର

ପରଶୁ ପରଶୁରାମ- କାର୍ମୁକକୁ

ରାମଶକ୍ତି ହରିଥିଲେ ଶଙ୍କର ।୧।

 

ବଳିଷ୍ଠ ବଳିର ଅକଳିତ ଦାନବାରି

ଦାନବାରି ମିଳିତା ତାହାରି ଦ୍ଵାର

ଦାରୋଦରେ ନୀର ଭରି ନୃପବର

ଢାଳିଲେ ଧାରଣ ସେ ସବ୍ୟକର ।୨।

 

କଟିବାରେ ଚୁଟିନିଶ ପରିପାଟୀ

ବିଦର୍ଭ ଈଶ୍ଵର ଜ୍ୟେଷ୍ଠସୁତର

ଦଣ୍ଡଧର ଦଣ୍ଡ ଖଣ୍ଡକେ ନ ଭଣ୍ଡ

ଗୋକୁଳାନନ୍ଦଙ୍କୁ ନନ୍ଦକଧର ।୩।

 

୧.ଉଗ୍ରଶରାସନ-ଶିବଧନୁ, ୨. ଦାନବାରି- ଦାନପାଇଁ ଜଳ , ୩. ଦାନବାରି- ଦାନବଙ୍କ ଶତ୍ରୁ,ବିଷ୍ଣୁ, ୪.ଦରୋଦର-ଶଙ୍ଖର ଉଦର (ଗର୍ଭ), ୫.ବିଦର୍ଭଇଶ୍ଵର- ଜ୍ୟେଷ୍ଠସୁତ-ରୁକ୍ମୀ, ୬.ଦଣ୍ଡଧର-ଯମ ।

 

ଚାରି ସଂପ୍ରଦାୟ

୧.ରାମାନନ୍ଦୀ ସଂପ୍ରଦାୟ

 

ସଂପ୍ରତି ଏ ଗୀତ ସଂପ୍ରଦା ଚରିତ

ସଂପ୍ରଦାନ କରିବ ଏ ସ୍ଵର୍ଗବାସ ତ୍ଵରିତ । (ପଦ)

 

ମୁଁ ପ୍ରକାଶ କରେ ଯାହା, ବିଫଳ ନୁହେଁ ତାହା

ଅପ୍ରମାଣ ନୁହେଁ କଥା,କ୍ଷିପ୍ର ଦୂର ହେବ ବ୍ୟଥା

ଏ ପ୍ରତି ମାନସ ବିପ୍ରାଦି ନିବେଶ,

ଅପ୍ରତ୍ୟୟ କରିବ ଯେ ଶାସ୍ତ୍ରରେ ଅବିଦିତ ।୧।

 

ଜ୍ଞାନ ପଦ୍ମରୂପ ଧୃତ, ସଦା ସ୍ଵଂଭୁ କରାଶ୍ରିତ

ଶ୍ରୀରେ ସର୍ବଦା ସେବିତ, ଶ୍ରୀ ସଂପ୍ରଦା ତହୁଁ ଜାତ

ରାମାନନ୍ଦ ସ୍ଵାମୀ , ପ୍ରେମାନନ୍ଦେ ଭ୍ରମି

ପ୍ରଚାରିଲେ ରାମାନନ୍ଦୀ ଖ୍ୟାତ ତେଣୁ ଜଗତ। ୨।

 

ନାସାଦ୍ୟକେଶ ପର୍ଯ୍ୟନ୍ତ, ଗ୍ରୀବା ଟୋପି ମଧ୍ୟସ୍ଥିତ

ବୈକୁଣ୍ଠର ପୂର୍ବଦ୍ଵାର ସେମାନଙ୍କ ଅଧିକାର

ଅଚ୍ୟୁତ ଗୋତ୍ରର ନବଧା ପ୍ରବର

ଶାଖା ଅନନ୍ତ ତାଙ୍କର ସାମବେଦୁ ସମ୍ଭୁତ ।୩।

 

ଧର୍ମଶାଳା ଅଯୋଧ୍ୟାରେ ବିଳାସ ଚିତ୍ରକୂଟରେ

କ୍ଷେତ୍ର ଶ୍ରୀମନ୍ଦାକିନୀଟି ,ପରିକ୍ରମା ପଞ୍ଚବଟୀ

ଧାନୁକି ଯେ ତୀର୍ଥ ଦେବ ହନୁମନ୍ତ

ଭକ୍ତି ସାତ୍ତ୍ୱିକ ବୁଝିବ ସାଧୁସନ୍ଥ ମହନ୍ତ ।୪।

 

ତେଜରୂପା ଚନ୍ଦ୍ରାବଳୀ ଲକ୍ଷଣା ସୁଭଗା ଆଳି

ଚିତ୍ରରେଖା ଯେ ଶ୍ୟାମଳା ସୁହଂସ୍ୱୀ ଶୁଭଗା ବାଳା

ଏହି ସଖୀ ଆଠ, ଲେଖା ଅଛି ପାଠ

ଶିଷ୍ୟମାନଙ୍କର ନାମ ଶୁଣ ହେ ଗୁଣବନ୍ତ ।୫।

 

ବଶିଷ୍ଠ, ଅଙ୍ଗିରା, ଅତ୍ରି ଋୀଷ୍ୟଶୃଙ୍ଗ ଯେ ପୌଲସ୍ତି

ମରୀଚ ଯେ ଶଉନକ , ବାମଦେବ ଅଷ୍ଟବକ୍ର

ଜାବାଳି କପିଳ ପ୍ରକାଶି ସକଳ

କରଣ ଗୋକୁଳାନନ୍ଦ ପଟ୍ଟନାୟକ ରଚିତ ।୬।

 

୨. ଶ୍ୟାମନନ୍ଦୀ ସଂପ୍ରଦାୟ

 

ଶ୍ରୀକୁଷ୍ଣ ଚରଣାରବିନ୍ଦ ମକରନ୍ଦ-

ସକ୍ତ ଭକ୍ତ ମିଳିନ୍ଦ ବୃନ୍ଦ

 

ମାନ ମାନସେ ମାନବେ ଜ୍ଞାନ ସମ୍ବାଦ ।

ଜ୍ଞାନ ଆନନରେ ପାନ କର ଏ ସ୍ଵାଦ

ସତ୍ୟ ଶଙ୍ଖରୂପକୁ ଧରିଲେ ସେବି ରୁଦ୍ର

ରୁଦ୍ର ସଂପ୍ରଦା ଏତ ପ୍ରକାଶି ଶ୍ୟାମାନନ୍ଦ

 

ଶ୍ୟାମାନନ୍ଦୀ ତିଳକ ନାମ ବୁଝ ଏ ଭେଦ

ନାସାଦ୍ଧୁଁ କେଶ ଯାଏଁ ବିନ୍ଦୁ ବେନି ଭ୍ରୂମଧ୍ୟ

ବୈକୁଣ୍ଠ ପୁରେ ଯହିଁ ବିଜୟ ଶ୍ରୀ ଗୋବିନ୍ଦ

ଦକ୍ଷିଣ ଦ୍ଵାରେ ତାଙ୍କ ପ୍ରମୋଦ ।୧।

 

ଶାଖା ଅନନ୍ତ ଗୌତମ ପ୍ରବର ଭେଦ

ଗୋତ୍ର ସୂର୍ଯ୍ୟାତ୍ମକ ଅଟେ ଅଥର୍ବ ବେଦ

ବିଳାସ ସ୍ଥଳ ପଦ୍ମାସନ ଗୋଲୋକ କ୍ଷେତ୍ର

ଧର୍ମଶାଳା କ୍ଷୀରାବ୍ଧି ଦ୍ଵାରକା ଅଟେ ତୀର୍ଥ

 

ପରିକ୍ରମା ରାହାସ ସ୍ଥଳୀ ବିଷ୍ଣୁ ଦେବ ତ

ଆଲଟ ସେବା ତାଙ୍କ ସେ ସାଯୁଜ୍ୟ ଭକତ

ଶ୍ୟାମାନନ୍ଦ ବ୍ରାହ୍ମଣ କୁଳରେ ଆବିର୍ଭୁତ

ରୁଦ୍ରଙ୍କଠାରୁ ଜ୍ଞାନ ପାଇଲେ ପ୍ରଥମତଃ ।

ସଖୀଙ୍କ ନାମ ଶୁଣ କୋବିନ୍ଦ ।୨।

 

ପଦ୍ମୀନୀ,ପାବିନୀ,ପଦ୍ମନେତ୍ରୀ,ପିଙ୍ଗଳା

ପଦ୍ମମୁଖୀ,ପଦ୍ମା,ପରିମଳା,ପିତୁଳା

ଶ୍ୟାମାନନ୍ଦଙ୍କ ଶିଷ୍ୟମାନଙ୍କ ନାମ ଶୁଣ

ବାଲ୍ମୀକି,ଦଧିଚି ଯେ ପବନ ଇନ୍ଦ୍ର ଜାଣ

 

ବିଶ୍ରବା,ମାର୍କଣ୍ଡେୟ, ସବିତା ,ଚନ୍ଦ୍ର ପୁଣ

ଗ୍ରହ ନକ୍ଷତ୍ର ତିଥି ଯୋଗବାର କରଣ

ଏମାନେ ଖ୍ୟାତ କଲେ ଜଗତେ ଏ ପ୍ରମାଣ

ଏହାଙ୍କଠାରୁ ଶିଷ୍ୟ ହେଲେ ବୈଷ୍ଣବ ଗଣ

ଲୋକେ ପ୍ରଚାର ହେଲା ସଂପ୍ରଦା ।୩।

 

ଶ୍ୟାମାନନ୍ଦ ବଡ଼ଦାଣ୍ଡେ ବଜାନ୍ତେ ବାଦ୍ୟ

ଗଜପତିଙ୍କୁ ଆହ୍ଲାଦ ଦେଲା ସେ ନାଦ

 

ରାଜା କହିଲେ ଆମ୍ଭ ଗ୍ରହଣକୁ ଏ ଯୋଗ୍ୟ

ବୈରାଗୀ ମାନଙ୍କର ନୁହଇ ଏହି ଭୋଗ୍ୟ

 

ଦୂତ ପେଶି ତୁରନ୍ତ ଛଡ଼ାଇ ନେଲେ ବେଗ

ନ ବାଜୁ ବାଜା ସାଧୁ କହିଲେ ବହି ରାଗ

ବଜାଇଲେ ବାଜିଲା ନାହିଁ ବାଜା ସମଗ୍ର

ପରୁଷୋତ୍ତମେ ସକଳ ବନ୍ଦ ।୪।

 

ଫେରାଇ ଦେଲେ ସାଧୁଙ୍କୁ ନରେଶ ବାଦ୍ୟ

ଅପରାଧ ମାଗି ଦେଲେ ବିଶେଷ ଖାଦ୍ୟ

ଏପରି ଗୋସାଇଁଙ୍କ ମହିମା ଯେ ପ୍ରକାଶ

ଶାସ୍ତ୍ରାନୁସାରେ ଏହି ବିଷୟ କଲି ଶେଷ ।

 

ଏହି ସମ୍ପ୍ରଦାୟର ଅଟଇ ମୁହିଁ ଶିଷ୍ୟ

ଶ୍ରୀ ଗୁରୁଦେବ ମୋର ଶ୍ରୀ ବାସୁଦେବ ଦାସ

କଟକ ଜିଲ୍ଲା ଅନନ୍ତ ପୁରେ ତାଙ୍କ ବାସ

ସୁରୁଚିସମ୍ପନ ସେ ନାମେ ଥାଏ ବିଶ୍ଵାସ

ତାଙ୍କ ସେବକ ଗୋକୁଳାନନ୍ଦ ।୫।

 

୩. ନିମାନନ୍ଦୀ ସମ୍ପ୍ରଦାୟ

 

ସନ୍ଥ ମହନ୍ତ ନିବେଶ ଚିତ୍ତ

ବିବଶ ହେବ ଲାଗବ ଜୀବ ପ୍ରାପତ

 

ଦୟା ଗଦା ରୂପ ଧରି ବିଷ୍ଣୁଙ୍କ ହସ୍ତ

ଆଶ୍ରୟ କଲେ ସଂଶ୍ରଦ୍ଧ ହେ ସନ୍ତତ ନ୍ୟସ୍ତ

ଅନେକ ଶାସ୍ତ୍ର ପାରଦର୍ଶୀ ଧୀର ସନକ

ବିବେକବନ୍ତ ଦିବାରାତି ହେଲେ ସେବକ

 

ସନକ ସଂପ୍ରଦାୟ ତେଣୁ ମୁଖେ ଜନଙ୍କ

ନିମାନନ୍ଦୀ ଜମାତ କହିଛନ୍ତି ଅନେକ

ନିମାଁଇ କଲେ ଯେଣୁ ବିଖ୍ୟାତ ।୧।

ନାସାର୍ଦ୍ଧରୁ କେଶଯାଏ ତାଙ୍କ ତିଳକ

 

ଇନ୍ଦୁ ନିନ୍ଦୁଥିବା ବିନ୍ଦୁ କପାଳେ ଠିକ

ଅଚ୍ୟୁତ ଗୋତ୍ରୀ ସାଧୁ ତ୍ରୀବେଣି ଯେ ପ୍ରବର

ଅନନ୍ତ ଶାଖା ବୈକୁଣ୍ଠର ଦ୍ଵାର ଉତ୍ତର

ନିମାନନ୍ଦୀ ସଂପ୍ରଦା ସାଧୁଙ୍କ ଅଧିକାର

 

ଯଜୁର୍ବେଦରେ ଆଧିପତ୍ୟ ସେମାନଙ୍କର

ମଥୁରାଧର୍ମଶାଳା ଲେଖାଅଛି ପୋଥିରେ

ପରିକ୍ରମା ଗୋବରଧନ ଭୂଭୃତବର

ବିଳାସ ସ୍ଥଳ ବୃନ୍ଦାବନ ତ ।୨।

 

ସେ କୁଳ ବୈଷ୍ଣବଙ୍କର କ୍ଷେତ୍ର ଗୋକୁଳ

ତୀର୍ଥ ବଦରିକା ବୁଝ ବୁଧ ସକଳ

ଦେବତା ଜଗନ୍ନାଥ ସ୍ମରଣ ଭକ୍ତି ସାର

ସ୍ପଷ୍ଟ କାହୁଛି ନାମ ମୁଁ ଅଷ୍ଟ ସଖୀଙ୍କର

 

ତୁଙ୍ଗ-ଉରଜା ତୁଙ୍ଗବିଦ୍ୟା ରମଣୀ ବର

ଲଳିତ ବଚନା ଯେ ଲଳିତା ଅଟେ ସାର

ଇନ୍ଦୁବଦନୀ ଇନ୍ଦୁରେଖା ଅଟନ୍ତି ଧୀର

ସାଧନା ଶାସ୍ତ୍ରେ ଏହା ବ୍ୟକତ ।୩।

 

ଚମ୍ପକଲତା ଚମ୍ପକଗୋରୀ ବନିତା

ରଙ୍ଗଦେବୀ ସୁଦେବୀ ଯେ ବିଶାଖା,ଚିତ୍ରା

ଶିଷ୍ୟମାନଙ୍କ ନାମ ଶୁଣ ହେ ସାଧବ

ସନନ୍ଦ ସନାତନ ଦୁର୍ବାସା ଯେ ଗାର୍ଗବ

 

ଜନପତି ଜନକ କଶ୍ୟପ ଯେ ଗାଲବ

ଅଗସ୍ତିଙ୍କ ଜନକ କୁମ୍ଭ ମୁନି- ପୁଙ୍ଗବ

ନିମାନନ୍ଦୀ ବିଷୟ ପ୍ରକାଶିଲା ଏ ସର୍ବ

ଦୀନ ଗୋକୁଳାନନ୍ଦ ରଚିତ ।୪।

 

୪. ମାଧବାନନ୍ଦୀ ସଂପ୍ରଦାୟ

 

ସୁସାଧକ ହେ ସାଧବ ଅତିଥି ବାନ୍ଧବ

ମାଧବାନନ୍ଦୀ ସଂପ୍ରଦାୟ ହୃଦେ ଭାବ (ପଦ)

 

ସନ୍ଥ ମହନ୍ତ ସକଳ ଗ୍ରନ୍ଥ ଅଟେ ପାରାବାର ମନ୍ଥନ କର

ଲଭିବ ଚରିତ ସୁଧା ନିଭିବ ଦୁରିତ କ୍ଷୁଧା

ସଂସାର ରୁପକ ସରିତ ତ୍ଵରିତ ସରିତ ହରିତାମ୍ବ ରେ ଠାବ ।୧।

 

ଧର୍ମ ହେଲେ ଚକ୍ରମୂର୍ତ୍ତି ସେବିଲେ ସାବିତ୍ରୀ ପତି, କରି ଭକତି

ପ୍ରଚାର ମାଧବାନନ୍ଦ, ବିଚାର କୋବିନ୍ଦ ବୃନ୍ଦ

ମାଧବାନନ୍ଦୀ ସଂପ୍ରଦା ନାମ ତେଣୁ, ବୋଲନ୍ତି ଏ ଜଗତେ ବୈଷ୍ଣବ ।୨।

 

ନାସାଗ୍ରୁଁ କେଶ ପର୍ଯ୍ୟନ୍ତ ତିଳକ କରନ୍ତି ନିତ୍ୟ ଶିଷ୍ୟ ସମସ୍ତ

ବିନ୍ଦୁ ମଧ୍ୟଭାଗେ ସ୍ଥିତ ହରି ମନ୍ଦିର ନାମ ତ ।

ସୁଚିତ୍ତରେ ବୁଝ ଅଚ୍ୟୁତ ଗୋତ୍ରୀ ସେ ଗଙ୍ଗା ପ୍ରବର ତଙ୍କର ହେବ ।୩।

 

ଧର୍ମଶାଳା ଶ୍ଵେତଦ୍ଵୀପ ଶାଖା ଅନନ୍ତ ସ୍ଵରୂପ ପଣ୍ଡିତ କଳ୍ପ

ବୈକୁଣ୍ଠପୁର ପଶ୍ଚିମ ଦ୍ଵାରେ ତାହାଙ୍କ ପ୍ରମାଣ

ବେଦ ଅଟେ ଋକ୍‌ କ୍ଷେତ୍ର ଯେ ଦ୍ଵାରକା ପୁରୁଷୋତ୍ତମ କ୍ଷେତ୍ର ସମ୍ଭବ ।୪।

 

ତୀର୍ଥ ଗୋମତୀ ଶ୍ରୀ ହରି ଦେବତା ସେହି ତାଙ୍କରି ଘେନ ବିଚାରି

ଭକ୍ତିର ନାମ ସାରୂପ୍ୟ କହିଲି ଏ ପାଠ ଗୋପ୍ୟ

ଆଠ ସଖୀନାମ, ପାଠରେ ଯା ଅଛି, ଶ୍ରବଣ କର ଶ୍ରେଷ୍ଠ ମାନବ ।୫।

 

ଶତରୂପା, ସୁଲକ୍ଷଣା ,ସୁକାନ୍ତି, ବ୍ରାହ୍ମୀ ସୁଲଗ୍ନା , ସୁଦୁର୍ଗା ଜଣା

ସୁରେଖା ମୂରତି କତି ନିତି ସ୍ଥିତି, ନିତି,ଚିନ୍ତି

 

ସେବିକା ସେବିକା ପୟରେ ଦେବୀଏ ଦେବି କାହାକୁ ଉପମାଲବ ।

ବେଦବ୍ୟାସ ,ବଇଶମ୍ପାୟନ, ଦତ୍ତାତ୍ରେୟ ଯେ ଚ୍ୟବନ,

ପରାଶର ଋଷି ଏ ସଂପ୍ରଦା ବାସୀ , କହେ ଗୋକୁଳାନନ୍ଦ ଗରିବ।୭।

 

ଚଞ୍ଚଳ ଚଳ ରେ ମନ

 

ଚଞ୍ଚଳ ଚଳ ରେ ମନ, ଖାଇ ହରିନାମ ବଚ

ଚଙ୍ଗଚଙ୍ଗ ଢଙ୍ଗ ତୋର କ୍ଷଣକେ ହୋଇବ ନୀଚ

 

ଚହଟାଇ ରୂପକାୟା ଚଳ ନା ହୃଦେ ବିଷୟା

ଚଉବାହା ଚିନ୍ତା ରଖି ବିହମ ସଂସାରୁ ଘୁଞ୍ଚ ।୧।

 

ଚପରାଶି ଜନ୍ତୁରାଣ,ଚକଟି ଦେବେ ତୋ ପ୍ରାଣ

ଚଟକଣା ମାଡ଼ ମାଣ, ଦେଇ ନେବେ ଭବମୁଞ୍ଚ ।୨।

 

ଚତୁର ତୋ ଟାଣ ପଣ, ଚୁରମାର ହେବ ଜାଣ

ଚପଳ ଚଞ୍ଚଳ ଗୁଣ କ୍ଷଣେ କରିବେ ନାକଚ ।୩।

 

ଚକାଡୋଳା ନାମ ସାର,ଚିନ୍ତା କର ହୃଦୟର

ଚରଣ କଞ୍ଜରେ ମନ ,ଗୋକୁଳାନନ୍ଦ ଉବାଚ ।୪।

 

ସୂଚନା :

ଆଗରୁ କବିସୂର୍ଯ୍ୟ ବଳଦେବ ରଥ ମଧ୍ୟ ମନକୁ ପ୍ରେରଣା ଦେଇ ଏହିପରି ଗୀତଟିଏ ଲେଖିଛନ୍ତି ।

 

ସେ ପ୍ରଭୁଚରଣ ବନ୍ଦେ

 

କାଣ୍ଡ-କୋଦଣ୍ଡ ଧର ଭାବ ଚିତ୍ତ ରେ । (ଘୋଷା)

କାଣ୍ଡାରୀ ସେ ଭବ ବାରୀଧି ପୋତ ରେ

କୁଣ୍ଡିନ ଜେମାକୁ ହରି ବ୍ୟୋମପଥରେ

କାଣ୍ଡି ଦେଲେ ରୁକ୍ମଣକୁ ବାନ୍ଧି ରଥରେ

କଣ୍ଡୁ ତାହାର ମଲା କଣ୍ଡୁଆପଣ ଗଲା,

କାଣ୍ଡେ ପଢ଼ ତହିଁରୁ ହିତରେ ।୧।

ଖଣ୍ଡପରଶୁ ଭାବନ୍ତି ଯାଙ୍କୁ ନିତ୍ୟରେ

ଖଣ୍ଡା ନନ୍ଦକଧରଙ୍କୁ ଭାବ ସତ୍ୟରେ

ଖଣ୍ଡିବେ ଦୁଃଖ ସିନା ଖଣ୍ଡିଆଳି ହୁଅ ନା

ଖଣ୍ଡୁଆ ପରିହର ଖଣ୍ଡୁ ବେଶି ମଧୁର

ଖଣ୍ଡେ ପଢ଼ ଚରିତାମୃତରେ ।୨।

ଗଣ୍ଡ ମୂର୍ଖ ଦେଖୁଅଛୁ ତୁହି ନେତ୍ରରେ

ଗଣ୍ଡା ଗଣ୍ଡା ମରୁଛନ୍ତି ଦିବା ରାତ୍ରରେ

ଗଣ୍ଡିରା କେ ନ ନେଲେ ଗଣ୍ଡକି ଛାଡ଼ିଗଲେ

ଗଣ୍ଡକୀ ତୀର୍ଥ ଯାଅ ଗଣ୍ଡୁଷେ ଜଳ ପିଅ

ଗଣ୍ଡେ ନ ରହିବୁ ତୁ ଆର୍ତ୍ତରେ ।୩।

 

ପାଣ୍ଡବ ବନ୍ଧୁ ଅଛନ୍ତି ପୁରୀ ସହରେ

ପଣ୍ଡା ସେବା କରୁଛନ୍ତି ଅହରହରେ

ପଣ୍ଡିତ ବୁଦ୍ଧି ଧର ପିଣ୍ଡିକା କିଛି କର

ପିଣ୍ଡୁ ପ୍ରାଣ ଛାଡ଼ିଲେ ଦଣ୍ଡୁ ହୋଇବ ପାର

ଦଣ୍ଡେ ମାତ୍ର ଭଜ ତୁ ସୂତ୍ରରେ ।୪।

 

ଭାଣ୍ଡ ଭାଙ୍ଗିଥିଲେ ଯେହୁ ଗୋପ ନଗ୍ରରେ

ଭଣ୍ଡାର କର ତୁ ତାଙ୍କ ନାମ ବେଗରେ

ଭେଣ୍ଡିଆ ବେଳେ ଚାଲ ଭାଣ୍ଡୀର ବନେ ବୁଲ

ଭଣ୍ଡୁ କାହିଁକି ଆଉ ଭଣ୍ଡୁଛି ତୋତେ କାଳ

ତୁଣ୍ଡେ ଡାକ ତୁ ରାଧାକାନ୍ତରେ ।୫।

 

ମଣ୍ଡ ରାଧାଶ୍ୟାମକୁଣ୍ଡମାଟି ଦେହରେ

ମୁଣ୍ଡାଇ ବସିଛୁ ପାପ ଭାର ଗୃହରେ

ମଣ୍ଡି ହୁଅ ଚିତ୍ତକୁ ମୁଣ୍ଡିଆ ମାର ତାଙ୍କୁ

ମୁଣ୍ଡକ ପରି ହୁଅ ମାଣ୍ଡୁଅ ଭୋଗ ପାଅ

ମୁଣ୍ଡେ ତିଳକ ଘେନ ଜହ୍ନରେ ।୬।

 

ଦଣ୍ଡଧର ଦଣ୍ଡକୁ ତୁ ଦଣ୍ଡକେ ମୁଞ୍ଚ

ଦାଣ୍ଡ ବଡ଼ ଅଟଇ ଯେ ତହିଁରେ ବଞ୍ଚ

ପଣ୍ଡ କରନା ବେଳ ମୁଣ୍ଡ ତୁଳସୀମାଳ

ମୁଣ୍ଡିକା ଠାରୁ କଟୁ ଅଟେ ଘର ଜଞ୍ଜାଳ

ମୁଣ୍ଡିଆ ସରିକି ଗୁରୁତ୍ଵରେ ।୭।

 

ରାଣ୍ଡ କଲେ କଂସ-ବାମାବଂଶ ଯେ ଖରେ

ଲଣ୍ଡା ବୃକ୍ଷେ ବର ଦେଲେ ଯେହୁ ବକରେ

ମାଣ୍ଡବିଧବାଗ୍ରଜ ଖାଣ୍ଡବାରି ସାହାଯ୍ୟ

ଦଣ୍ଡକର ବିହାରି ଚଣ୍ଡତେଜ ବଂଶଜ

ଗୋକୁଳାନନ୍ଦ କହେ ଗୀତରେସ ।୮।

 

୧. କାଣ୍ଡ- ଶର ୨.କୋଦଣ୍ଡ- ଧନୁ । ୩.ଭାଣ୍ଡୀର –ଏକ ବଟବୃକ୍ଷ, ବୃନ୍ଦାବନର ସପ୍ତବଟରୁ ଏକ ବଟ, ୪. ମାଣ୍ଡୁଅ- ଛେନା ପିଠା ବିଶେଷ, ୫ . ମାଣ୍ଡବୀଧବାଗ୍ରଜ-ରାମଚନ୍ଦ୍ର ।ମାଣ୍ଡବୀ- ଜନକଙ୍କ ଭ୍ରାତା,କୁଶଧ୍ଵଜଙ୍କ ଜ୍ୟେଷ୍ଠା କନ୍ୟା ଓ ଭରତଙ୍କ ପତ୍ନୀ ।

 

ବାବା ସୁରେଶ୍ଵର

 

ସୁରେଶ୍ଵର ଘେନ ମୋ ସେବା, ହେ ବାମାଶିବା (ଘୋଷା)

 

ବାରଣ ବଦନ ତବ             ନନ୍ଦନ ବନ୍ଦନ ଦେବା,

ବାର ବାର କରେ ତବ ସେବା ।୧।

 

ବାସ କପିଳାସ ଶିଷ ନାଶ ଦୋଷ କୃତ୍ତିବାସ

ଭାଷଇ ଭାସଇ ଦୁଃଖରେବା ।୨।

 

ବାସେଳି କାଳୀ କଙ୍କାଳୀ ଯୋଗ୍ନୀଗଣ ସଙ୍ଗେ ମିଳି

ଶ୍ମଶାନରେ ଭ୍ରମ ରାତ୍ର ଦିବା ।୩।

 

ବାମଦେବ ହେଲ ମନ୍ଦ ବାତୁଳ ଗୋକୁଳାନନ୍ଦ

ଆଉ କେତେ ଜଣାଇବ ଅବା ।୪।

 

ଜୟ ଜଗନ୍ନାଥ